ଗୁଳିର ଜବାବ ଗୁଳିରେ ଦେଲା ପୋଲିସ । ହିଂସା ଭିଆଉଥିବା ନକ୍ସଲଙ୍କୁ ଅତର୍କିତ ଗୁଳିମାଡ଼। ଏନକାଉଣ୍ଟରରେ ଗଡ଼ିଲା ୪ ମାଓ ମୁଣ୍ଡ। ଗୁରୁବାର ଭୋର ୪ ଟା। କନ୍ଧମାଳ ଜିଲ୍ଲା ଚକାପାଦ ଥାନା ଅଧିନ ତାଳଜୀବିକା ଜଙ୍ଗଲରେ କିଛି ମାଓବାଦୀ ଲୁଚିଥିବା ଖବର ପାଇଥିଲା ଓଡିଶା ପୋଲିସ। ତୁରନ୍ତ ୨୦ ଟି ଏସଓଜି ଟିମ, ୨ ଟି ସିଆରପିଏଫ ଓ ଗୋଟିଏ ବିଏସଏଫ ଟିମ ପକ୍ଷରୁ ଆରମ୍ଭ ହୋଇଥିଲା ଜଏଣ୍ଟ ଅପରେସନ । ପୋଲିସକୁ ଦେଖିବା ମାତ୍ରେ ଆଖିବୁଜା ଗୁଳିଚାଳନା କରିଥିଲେ ମାଓବାଦୀ । ପ୍ରତି ଜବାବରେ ମୁହଁତୋଡ ମୁକାବିଲା କରିବା ସହ ୪ ମାଓବାଦୀଙ୍କୁ ଏନକାଉଣ୍ଟର୍ କରିଥିଲା ଓଡିଶା ପୋଲିସ । ମୃତକଙ୍କ ମଧ୍ୟରେ ୨ ପୁରୁଷ ଓ ୨ ମହିଳା ରହିଥିବା ବେଳେ ନିହତଙ୍କ ମଧ୍ୟରେ ରହିଛି ହାର୍ଡକୋର ଗଣେଶ ଉଇକେ। ଗଣେଶର ଘର ତେଲେଙ୍ଗାନାର ନାଲଗୋଣ୍ଡା ହୋଇଥିବା ବେଳେ ତା ନାଁରେ ଥିଲା ୧ କୋଟି ୧୦ ଲକ୍ଷର ପୁରସ୍କାର ରାଶି। ସେମାନଙ୍କ ନିକଟରୁ ଜବତ ହୋଇଛି ୨ ଟି ଇନସାସ ରାଇଫଲ ଓ ଗୋଟିଏ ୩୦୩ ରାଇଫଲ ।
ସରକାରଙ୍କ ଆତ୍ମସମର୍ପଣ ଓ ପୁର୍ନବାସ ଯୋଜନା ମୁତାବକ ମୁଖ୍ୟସ୍ରୋତକୁ ଫେରିଥିବା ସମସ୍ତ ମାଓବାଦୀଙ୍କୁ ୩ ଲକ୍ଷ ୩୦ ହଜାର ଟଙ୍କାରୁ ୪ ଲକ୍ଷ ୯୫ ହଜାର ଟଙ୍କାର ସହାୟତା ଦେଇଛନ୍ତି । AK 47 ରାଇଫଲ ଧରି ଆତ୍ମସମର୍ପଣ କଲେ ଏହି ରାଶି ପ୍ରଦାନ କରିବେ ରାଜ୍ୟ ସରକାର । ସେହିଭଲି SLR ରାଇଫଲ ସହ ଆତ୍ମସମର୍ପଣ କଲେ ମଧ୍ୟ ମିଳିବ ସହାୟତା ରାଶି । ଯେଉଁ ମାଓବାଦୀଙ୍କ ଉପରେ ୧୦ ଲକ୍ଷ ଟଙ୍କା ମୁଣ୍ଡ ଜାମିନ ଅର୍ଥ ରାଶି ରହିଛି ସେମାନେ ଆତ୍ମସମର୍ପଣ କଲେ ରାଜ୍ଯ ସରକାର ୫ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିବେ । ଏପରିକି ସେମାନଙ୍କ ନାମରେ ଥିବା ଛୋଟମୋଟ ସମସ୍ତ ମାମଲା ପ୍ରତ୍ୟାହାର କରିନେବେ ସରକାର । ଏଣୁ ନିଜର ଦାବି ପୂରଣ ପାଇଁ ଅନ୍ୟାୟ ବାଟରେ ନିରୀହଙ୍କ ଜୀବନ ନେବା ଘଟଣା ଆଦୌ ଗ୍ରହଣୀୟ ନୁହେଁ ବୋଲି ଚେତାଇ ଦେଇଛନ୍ତି ଡିଜିପି । ଗୁରୁପ୍ରିୟା ସେତୁ ହେବା ପରେ ବିଚ୍ଛିନ୍ନାଞ୍ଚଳରେ ନିଷ୍ପେସିତ ଭାବେ ବଞ୍ଚୁଥିବା ଲୋକଙ୍କ ସ୍ୱାଭିମାନ ଫେରିଛି। ଏଣୁ ମାରଣାସ୍ତ୍ର ଛାଡି ଶାନ୍ତିରେ ବଞ୍ଚିବାକୁ ଆହ୍ଵାନ ଦେଇଛନ୍ତି ଡିଜିପି ।

