୨୦୦ ପଣବନ୍ଦୀଙ୍କ ମୁକ୍ତି ଲାଗି ଇରାନର ସର୍ତ୍ତ, ଆକ୍ରମଣ ବନ୍ଦ ହେଲେ ଖଲାସ ହେବେ ନାଗରିକ

1 min read

ନୂଆଦିଲ୍ଲୀ :  ଗାଜା ଉପରେ ଇସ୍ରାଏଲ ପ୍ରଥମେ ଆକ୍ରମଣ ବନ୍ଦ କରୁ । ପରେ ପଣବନ୍ଦୀ ଥିବା ୨୦୦ ନାଗରିକଙ୍କୁ ଖଲାସ କରାଯିବ ବୋଲି ସର୍ତ୍ତ ରଖିଛି ଇରାନ । ସେପଟେ ହମାସ ଆକ୍ରମଣରୁ ବର୍ତ୍ତିବା ଲାଗି ଇସ୍ରାଏଲ ମୁତୟନ କରିବ ଆଇରନ ବିମ୍ ଲେଜର ସିଷ୍ଟମ । ଅର୍ଥାତ କୌଣସି ପ୍ରକାର ବସ୍ତୁକୁ ଆକାଶମାର୍ଗରେ ଧ୍ବଂସ କରିବ ଲେଜର ବିମ୍ ।

ଇରାନ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ନାସେର କାନାନି କହିଛନ୍ତି ହମାସ ଦ୍ବାରା ଅପହୃତ ନାଗରିକଙ୍କ ମୁକ୍ତି ଲାଗି ମଧ୍ୟସ୍ଥତା କରିବାକୁ ଇରାନ ପ୍ରସ୍ତୁତ । ସେପଟେ ଆସନ୍ତା ବୁଧବାର ତେଲ୍ ଆଭିବ ଗସ୍ତରେ ଯିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ବାଇଡେନଙ୍କ ଶୀର୍ଷ ଆଲୋଚନା ସମ୍ଭବତଃ ଯୁଦ୍ଧରେ ପୂର୍ଣ୍ଣଚ୍ଛେଦ ପକାଇବ ବୋଲି ଆଶା କରାଯାଉଛି ।

ବୁଧବାର ବି ସାଉଦିଆରବର ଜିଢାରେ ବସିବ ଇସଲାମିକ ସହଯୋଗ ସଂଗଠନ-OICର ଜରୁରୀ ବୈଠକ । ଏଥିରେ ସାମିଲ ହେବେ ୫୭ଟି ରାଷ୍ଟ୍ର । ପଶ୍ଚିମଏସିଆ ଓ ଆରବ ଜଗତରେ ସ୍ଥିରତା ନେଇ ବୈଠକରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ଏହାସହ ମୁସଲିମ ଜଗତର ସ୍ବର ଏକ କରିବା ଲାଗି OICର ବୈଠକ ଉଦ୍ଦିଷ୍ଟ ବୋଲି ସୂଚନା ମିଳିଛି । ତେବେ ଇସ୍ରାଏଲ ଆକ୍ରମଣ ପ୍ରଥମେ ବନ୍ଦ କରୁ ।

ଗତ ୭ ତାରିଖରେ ଇସ୍ରାଏଲ ଉପରେ ଅଚାନକ ଆକ୍ରମଣ କରି ୨୦୦ ଲୋକଙ୍କୁ ପଣବନ୍ଦୀ କରିଥିଲା ହମାସ । ସେପଟେ ଗାଜାର ସମସ୍ତ ହସ୍ପିଟାଲ ଓ ସ୍କୁଲରେ ଲୋକେ ଜୀବନ ବିକଳରେ ସମବେତ ହେଉଥିବା ସୂଚନା ମିଳିଛି । ଗାଜା ଉପରେ ଇସ୍ରାଏଲର ଏୟାରଷ୍ଟ୍ରାଇକ ଜାରି ରହିଥିବାବେଳେ ସାରା ଗାଜାରେ ଆତଙ୍କ ସୃଷ୍ଟି ହୋଇଛି ।