୬ଦଶନ୍ଧି ପରେ ଲେଣ୍ଡ-ଲିଜ୍ ଆକ୍ଟରେ ସ୍ୱାକ୍ଷର କଲେ ବାଇଡେନ ; ୩୩ବିଲିୟନ ଡଲାରର ସହାୟତା ଦିଆଯିବ

1 min read

ନୂଆଦିଲ୍ଳୀ: ୟୁକ୍ରେନକୁ ଅଧିକ ପରିମାଣରେ ଯୁଦ୍ଧାସ୍ତ୍ର ଯୋଗାଣ ଲାଗି କ୍ଷେତ୍ର ପ୍ରସ୍ତୁତ କଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜର୍ମାନୀ ବିରୋଧରେ ଲଢ଼ିବା ଲାଗି ମିତ୍ରଶକ୍ତିକୁ ଅସ୍ତ୍ର ଯୋଗାଣ ପାଇଁ କରାଯାଇଥିବା ଏକ ଆଇନକୁ ପୁଣି କାର୍ଯ୍ୟକାରୀ କରିଛନ୍ତି ବାଇଡେନ । ହ୍ୱାଇଟ ହାଉସ ଓଭାଲ ଅଫିସରେ ଲେଣ୍ଡ-ଲିଜ ଆକ୍ଟରେ ସ୍ୱାକ୍ଷର ପ୍ରଦାନ କରିଛନ୍ତି ବାଇଡେନ ।

ସେ କହିଛନ୍ତି ଏଣିକି ନିଜ ଦେଶର ସୁରକ୍ଷା ଲାଗି ଲଢୁଥିବା ୟୁକ୍ରେନବାସୀଙ୍କ ପାଇଁ ଆମେରିକା ହାତଖୋଲା ସମର୍ଥନ କରିବ । ଏହାସହ ୟୁକ୍ରେନକୁ ଆଉ ୩୩ ବିଲିୟନ ଡଲାରର ସହାୟତା ପ୍ରଦାନ କରିବେ ବୋଲି ବାଇଡେନ ସୂଚନା ଦେଇଛନ୍ତି । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜର୍ମାନୀକୁ ପରାସ୍ତ କରିବା ଲାଗି ତତ୍କାଳୀନ ରାଷ୍ଟ୍ରପତି ଫ୍ରାଙ୍କଲିନ ରୁଜଭେଲ୍ଟ ଏହି ଆଇନ ବଳରେ ସହଯୋଗୀ ରାଷ୍ଟ୍ରକୁ ବିପୁଳ ଅସ୍ତ୍ରଶସ୍ତ୍ର ପ୍ରଦାନ କରିଥିଲେ ।

ଦୀର୍ଘ ଛଅ ଦଶନ୍ଧି ପରେ ପୁଣି ଥରେ ଏହି ଆଇନ କାର୍ଯ୍ୟକାରୀ କରାଯାଇଛି । ଏହି ଆଇନ ବଳରେ ୟୁକ୍ରେନକୁ ଆମେରିକା ଗୋଳା, ଟ୍ୟାଙ୍କ ଓ ବିମାନ ବିଧ୍ୱଂସୀ କ୍ଷେପଣାସ୍ତ୍ର ଯୋଗାଇବ । ଆମେରିକାର ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । ସେପଟେ ୟୁକ୍ରେନକୁ ପୂର୍ଣ୍ଣ ସମର୍ଥନ ଜ୍ଞାପନ କରିଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନ ଓ ଜର୍ମାନ ଚାନସେଲର ଓଲାଫ ସ୍କଜ । ଯୁଦ୍ଧରେ ୟୁକ୍ରେନକୁ ସମସ୍ତ ପ୍ରକାର ସହାୟତା କରିବାକୁ ଦୁଇ ନେତା ଘୋଷଣା କରିଛନ୍ତି । ସେପଟେ ଋଷ ବିରୋଧରେ ପେଣ୍ଟାଗନ ଆଣିଛି ଗୁରୁତର ଅଭିଯୋଗ । ଆକ୍ରମଣ ପରେ ଅନେକ ୟୁକ୍ରେନ ନାଗରିକଙ୍କୁ ଋଷ ନିଜ ଦେଶକୁ ନେଇଯାଉଛି ବୋଲି କହିଛି ପେଣ୍ଟାଗନ ।

ଏଥିସହିତ ପଢ଼ନ୍ତୁ: ପାକିସ୍ତାନ ପଟୁ ଡ୍ରୋନରେ ଆସୁଥିଲା ହେରୋଇନ: ଗୁଳି କରି ଖସାଇଲା ବିଏସ୍‌ଏଫ୍