ବଢ଼ିଲା ଡୋନାଲଡ ଟ୍ରମ୍ପ ଓ ଜୋ ବାଇଡେନ ବିବାଦ

1 min read

ନୂଆଦିଲ୍ଲୀ : ବଢ଼ିଲା ଡୋନାଲଡ ଟ୍ରମ୍ପ ଓ ଜୋ ବାଇଡେନ ବିବାଦ । ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଖେଇ ଆସୁଥିବାବେଳେ ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପଙ୍କ ସପକ୍ଷରେ ସୁପ୍ରିମକୋର୍ଟ ରାୟ ଦେବା ପରେ ଚିନ୍ତାବ୍ଯକ୍ତ କରିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ । କୋର୍ଟଙ୍କ ରାୟକୁ ସମାଲୋଚନା କରିଛନ୍ତି ବାଇଡେନ । ଆସନ୍ତା ନଭେମ୍ବରରେ ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପଙ୍କ ବିଜୟ ସମ୍ଭାବନା ଉଜ୍ବଳ ଥିବାବେଳେ ସୁପ୍ରିମକୋର୍ଟଙ୍କ ରାୟ ଟ୍ରମ୍ପଙ୍କ ଲାଗି ସହାୟକ ହୋଇଛି ।

ରାଷ୍ଟ୍ରପତି ଥିବାବେଳେ ଟ୍ରମ୍ପ ଯେଉଁସବୁ କାର୍ଯ୍ୟ କରିଥିଲେ ତାହା ତାଙ୍କ ସାମ୍ବିଧାନିକ କ୍ଷମତା ଥିବାରୁ ତାଙ୍କ ବିରୋଧରେ କୌଣସି ମାମଲା ଦାୟର କରାଯାଇପାରିବ ନାହିଁ । ତାଙ୍କର କେବଳ ବ୍ଯକ୍ତିଗତ ପ୍ରସଙ୍ଗକୁ ନେଇ ଅଲଗା ଚିନ୍ତା କରାଯାାଇପାରେ । ଏହି ରାୟକୁ ନେଇ ବାଇଡେନ କହିଛନ୍ତି- ନିର୍ଦ୍ଦିଷ୍ଟ ନୀତି ଉପରେ ଆମେରିକା ପ୍ରତିଷ୍ଠା ହୋଇଛି । ଆଇନର ଊର୍ଦ୍ଧ୍ବରେ କେହି ନୁହନ୍ତି । ସୁପ୍ରିମକୋର୍ଟଙ୍କ ଏହି ରାୟ ସମ୍ବିଧାନର ମୌଳିକ ନୀତିକୁ ଉଲ୍ଲଂଘନ କରୁଛି ।

ଗତ ୨୦୨୧ ଜାନୁଆରୀ ୬ରେ କାପିଟଲରେ ହୋଇଥିବା ହିଂସାକୁ ନେଇ ଟ୍ରମ୍ପଙ୍କ ବିରୋଧରେ ମାମଲା ଚାଲୁ ରହିଥିବାବେଳେ ସୁପ୍ରିମକୋର୍ଟଙ୍କ ରାୟ ଟ୍ରମ୍ପଙ୍କୁ ଆଶ୍ବସ୍ତ କରିଛି । ଅନ୍ଯପଟେ ଗତ ମାସ ଶେଷାର୍ଦ୍ଧରେ ହୋଇଥିବା ପ୍ରଥମ ଡିବେଟରେ ବାଇଡେନଙ୍କ ଦୁର୍ବଳ ଉପସ୍ଥାପନା ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି । ରିପ୍ଲବିକାନ ପ୍ରାର୍ଥୀ ଡୋନାଲଡ ଟ୍ରମ୍ପ ଡେମୋକ୍ରାଟ ପ୍ରାର୍ଥୀ ତଥା ରନିଙ୍ଗ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଉପରେ ଭାରି ପଡିଥିଲେ । ୯୦ ମିନିଟର ବିତର୍କରେ ନିଜ ଶାସନକାଳର ଉପଲବ୍ଧି ବଖାଣିବାରେ ସେ ବିଫଳ ହୋଇଥିଲେ । ଯେଉଁଠିକି ଟ୍ରମ୍ପ ପୂରା ଦମରେ ତାଙ୍କୁ କାଉଣ୍ଟର କରି ଫସାଇଦେଇଥିଲେ । ତେଣୁ ବାଇଡେନଙ୍କ ବଦଳରେ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ପତ୍ନୀ ମିଚେଲ ଓବାମାଙ୍କୁ ଡେମୋକ୍ରାଟ ଦଳ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି ।