ବୁଲେଟ୍ ପ୍ରୁଫ୍ ‘ଦୁର୍ଗ’ ମଧ୍ୟରେ ଇସ୍ରାଏଲରେ ବାଇଡେନଙ୍କ ଲ୍ୟାଣ୍ଡିଂ!

1 min read

ନନ୍ଦିଘୋଷ ବ୍ୟୁରୋ: ଇସ୍ରାଏଲ-ହମାସ ଯୁଦ୍ଧ ସ୍ଥିତି ମଧ୍ୟରେ ବୁଧବାର ରାଜଧାନୀ ତେଲ ଅଭିଭରେ ପହଞ୍ଚିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ଅକ୍ଟୋବର ୭ରେ ହମାସ ଆକ୍ରମଣ ପରଠାରୁ ଇସ୍ରାଏଲ ଏବଂ ଗାଜାରେ ପରିସ୍ଥିତି ସାଘାଂତିକ ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ପକ୍ଷରୁ ଚାରି ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି।

ଖାଲି ଏତିକି ନୁହେଁ ଉଭୟ ପାର୍ଶ୍ୱରୁ ରକେଟ୍ ମାଡ଼ ଜାରି ରହିଛି। ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ବାଇଡେନଙ୍କ ଗସ୍ତ ଉପରେ ସମସ୍ତଙ୍କ ନଜର। ଏହି ବିଶ୍ୱ ନେତାଙ୍କ ସୁରକ୍ଷା ଏବେ ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ ସହ  ଆମେରିକା ସେନାବାହିନୀ ପାଇଁ ମଧ୍ୟ ଚାଲେଞ୍ଜିଂ ହୋଇପଡିଛି। ତେବେ ଆସନ୍ତୁ ଜାଣିବା କିଭଳି ରହିଛି ବାଇଡେନଙ୍କ ସୁରକ୍ଷା ବ୍ୟବସ୍ଥା…

ବାଇଡେନଙ୍କ ଲ୍ୟାଣ୍ଡିଂ ବେଳେ ଦୁଇ ହଜାର ଆମେରିକୀୟ ସୈନ୍ୟ, ୨୪ ହଜାର ନୌସେନା ଓ ୧୩ଟି ଯୁଦ୍ଧ ଜାହାଜ ମଧ୍ୟ ପୂର୍ବ ଇସ୍ରାଏଲକୁ ଘେରି ରହିବେ। କେବଳ ଏତିକି ନୁହେଁ, ପେଣ୍ଟାଗନର ପ୍ରାୟ ଦୁଇ ହଜାର ସେନା ମଧ୍ୟ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏବିସି ନ୍ୟୁଜ୍ ର ଏକ ରିପୋର୍ଟ ଅନୁଯାୟୀ, ବାଇଡେନଙ୍କ ପୂର୍ବରୁ ଯୁଦ୍ଧଗ୍ରସ୍ତ ରାଷ୍ଟ୍ରକୁ ଯାଇଥିବା ରାଷ୍ଟ୍ରପତିମାନଙ୍କ ଗସ୍ତ କୋବର୍ଟ ଅପରେସନ୍ ଜରିଆରେ ହୋଇଥାଏ ।

ଏହାପୂର୍ବରୁ ଆମେରିକାର ସିକ୍ରେଟ୍ ସର୍ଭିସ ଦ୍ୱାରା ଗୋପନରେ ପ୍ଲାନ କରାଯିବା ପରେ ହିଁ ପୂର୍ବତନ ରାଷ୍ଟ୍ରପତି ଜର୍ଜ ବୁଶ, ବାରାକ ଓବାମା ଏବଂ ଡୋନାଲ୍ଡ ଟ୍ରମ୍ପ ଇରାକ ଏବଂ ଆଫଗାନିସ୍ତାନ ଗସ୍ତ କରିଥିଲେ। କିନ୍ତୁ ବାଇଡେନଙ୍କ ଗସ୍ତକୁ ସାର୍ବଜନିନ ଭାବେ ଘୋଷଣା କରାଯାଇଛି । ଯାହାଫଳରେ ତାଙ୍କ ସୁରକ୍ଷା ଦୁଇ ଦେଶ ପାଇଁ ଚାଲେଞ୍ଜିଂ ହୋଇପଡିଛି ।

ହ୍ୱାଇଟ ହାଉସର କର୍ମଚାରୀ, ଆମେରିକା ଦୂତାବାସ ଇସ୍ରାଏଲର ସୁରକ୍ଷା ଏଜେନ୍ସି ସିନ ବେଟ୍ ସହ ସମ୍ପର୍କ କରିଛନ୍ତି । ସିନ ବେଟ୍ ଆତଙ୍କବାଦୀ ବିରୋଧି ଅପରେସନ୍ ପାଇଁ ଖୁବ୍ ଜଣାଶୁଣା। ସିକ୍ରେଟ୍ ସର୍ଭିସ ପୂର୍ବରୁ ମଧ୍ୟ ରାଷ୍ଟ୍ରପତିମାନଙ୍କୁ ଇସ୍ରାଏଲ୍ ଓ ୱେଷ୍ଟ ବ୍ୟାଙ୍କ ଭଳି ସ୍ଥାନକୁ ନେଇଛନ୍ତି। ଏହି ଦୁଇ ସ୍ଥାନ ଫିଲିସ୍ତାନ ଲିବ୍ରେସନ୍ ଅର୍ଗାନାଇଜେସନ୍ (ପିଏଲଓ) ଶାସନାଧିନ। ଏହା ଶାନ୍ତିପୂର୍ଣ୍ଣ କ୍ଷେତ୍ରରେ ରହିଲେ ମଧ୍ୟ ସବୁବେଳେ ବିପଦର ଭୟ ଲାଗି ରହିଥାଏ।

ସିକ୍ରେଟ୍ ସର୍ଭିସ୍ ଏଜେଣ୍ଟମାନେ ରାଷ୍ଟ୍ରପତି ବାଇଡେନଙ୍କୁ ନେଇ ଯାଉଥିବା ସାମରିକ ବିମାନ ଚାରିପାଖରେ ତଥା ଆକାଶ ମାର୍ଗରେ ସୁରକ୍ଷା ପାଇଁ ଏକ ୟୁନିଟ୍ ସହିତ ସମନ୍ୱୟ ରକ୍ଷା କରିବେ । ଉଭୟ ପକ୍ଷରୁ ରକେଟ୍ ମାଡ଼ ମଧ୍ୟରେ ଆକାଶ ମାର୍ଗରେ ସୁରକ୍ଷା ବ୍ୟବସ୍ଥା ଖୁବ୍ କଡ଼ାକଡ଼ି ହେବ । ତେବେ ସ୍ପେଶାଲ୍ ଅପରେସନ୍ ଡିଭିଜନ୍ ରେ ସିକ୍ରେଟ୍ ସର୍ଭିସ୍ ଏୟାରସ୍ପେଶ୍ ସିକ୍ୟୁରିଟି ବ୍ରାଞ୍ଚକୁ ଇସ୍ରାଏଲ୍ ଓ ଆମେରିକା ସୈନ୍ୟବାହିନୀ ସହ କାମ କରିବା ପାଇଁ କୁହାଯାଇଛି