ଦ୍ୱିତୀୟଥର ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭୂପେନ୍ଦ୍ର

ଗାନ୍ଧିନଗର: ଗୁଜରାଟରେ ଭୂପେନ୍ଦ୍ର ପଟେଲଙ୍କ ଦ୍ବିତୀୟ ଇନିଂସ । ୧୮ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭୂପେନ୍ଦ୍ର । ଭୂପେନ୍ଦ୍ରଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ । ଭୂପେନ୍ଦ୍ରଙ୍କ ସମେତ ଶପଥ ନେଇଛନ୍ତି ୧୭ ଜଣ ମନ୍ତ୍ରୀ । ଶପଥ ଗ୍ରହଣ ଉତ୍ସବରେ ସାମିଲ ହୋଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ଅନ୍ୟାନ୍ୟ କେନ୍ଦ୍ରମନ୍ତ୍ରୀ ।

ଶପଥ ନେଇଥିବା ମନ୍ତ୍ରୀଙ୍କ ମଧ୍ୟରେ ଅଛନ୍ତି ପ୍ରଫୁଲ୍ଲ ପାନସେରିଆ, ଭିଖୁସିନଂ ପରମାର, କୁନଓ୍ବାରଜି ହାଲପାଟି, ପୁରୁଷୋତ୍ତମ ସୋଲାଙ୍ଗି, ବାଚୁଭାଇ ଖାବଡ, ମୁକେଶ ପଟେଲ, ହର୍ଷ ସାଙ୍ଗଭି, ଜଗଦୀଶ ବିଶ୍ବକର୍ମା, କୁନଓ୍ବାରଜି ବାଭାଲିୟା, ମୋଲୁଭାଇ ବେରା, କୁବେର ଦିନ୍ଦର, ଭାନୁବେନ ବାବାରିଆ ପ୍ରମୁଖ । ଗତବର୍ଷ ସେପ୍ଟେମ୍ବରରେ ବିଜୟ ରୂପାଣୀଙ୍କଠାରୁ ଦାୟିତ୍ବ ଗ୍ରହଣ କରିଥିଲେ ଭୂପେନ୍ଦ୍ର ।

ଉତ୍ସବରେ ବିଜେପି ଶାସିତ ରାଜ୍ୟଗୁଡିକର ମୁଖ୍ୟମନ୍ତ୍ରୀ ଓ ବରିଷ୍ଠ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ଗୁରୁତ୍ବପୂର୍ଣ୍ଣ କଥା ଏହା ଯେ ଶପଥଗ୍ରହଣ ଉତ୍ସବରେ ଦେଶର ବିଭିନ୍ନ ସ୍ଥାନରୁ ୨୦୦ରୁ ଅଧିକ ସାଧୁସନ୍ଥ ଯୋଗଦେଇଥିଲେ । ଗତ ଶନିବାର ଭୂପେନ୍ଦ୍ର ବିଜେପି ବିଧାୟକ ଦଳ ନେତା ପଦରେ ନିର୍ବାଚିତ ହେବା ପରେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ଲାଗି ଦାବି କରିଥିଲେ । ଗତ ନିର୍ବାଚନରେ ଭୂପେନ୍ଦ୍ର ଘାତୋଲିଦିଆ ଆସନରୁ ସର୍ବାଧିକ ୧ ଲକ୍ଷ ୯୨ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଥିଲେ ।