ଦ୍ୱିତୀୟ ଥର ପାଇଁ ବିଧାୟକ ଦଳ ନେତା ଭାବେ ଭୁପେନ୍ଦ୍ର ପଟେଲ ମନୋନୀତ

ଅହମ୍ମଦାବାଦ: ଭୁପେନ୍ଦ୍ର ପଟେଲ ଦ୍ୱିତୀୟଥର ପାଇଁ ଗୁଜୁରାଟର ମୁଖ୍ୟମନ୍ତ୍ରୀ ହେବେ । ନବନିର୍ବାଚିତ ବିଧାୟକ ଦଳ ବୈଠକରେ ଭୁପେନ୍ଦ୍ରଙ୍କୁ ସର୍ବସମ୍ମତିକ୍ରମେ ବିଧାୟକ ଦଳ ନେତା ଭାବେ ମନୋନୀତ କରାଯାଇଛି । ଗୁଜୁରାଟରେ ବିଜେପି ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ପ୍ରଚଣ୍ଡ ବହୁତମତରେ ବିଜୟ ହାସଲ କରିଥିଲା । ଦଳ ୧୮୨ ସଦସୀୟ ବିଧାନସଭାରେ ୧୫୬ ଆସନ ହାସଲ କରି ଐତିହାସିକ ବିଜୟ ରେକର୍ଡ କରିଛି ।

ବିଜେପିର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବରେ ବରିଷ୍ଠ ନେତା ରାଜନାଥ ସିଂହ, ବିଏସ୍ ୟେଦିୟୁରପ୍ପା ଏବଂ ଅର୍ଜୁନ ମୁଣ୍ଡା ଆଜିର ବୈଠକର ନେତୃତ୍ୱ ନେଇଥିଲେ । ବିଜେପି ଘୋଷଣା କରିଛି ଯେ ନୂଆ ସରକାରର ଶପଥଗ୍ରହଣ ଉତ୍ସବ ୧୨ ଡିସେମ୍ବରରେ ହେବ । ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ଉପସ୍ଥିତ ରହିବେ । ସୋମବାର ଶପଥଗ୍ରହଣ ସମାରୋହ ଗାନ୍ଧିନଗରର ହେଲିପ୍ୟାଡ ଗ୍ରାଉଣ୍ଡରେ ହେବ ।