spot_img

Latest Posts

ମେକ୍ ଇନ ଓଡ଼ିଶା ପାଇଁ ଭୂମି ପୂଜା, ନଭେମ୍ବର ୩୦ରୁ ଡିସେମ୍ବର ୪ ଯାଏ ଚାଲିବ କନକ୍ଲେଭ୍

ଭୁବନେଶ୍ୱର: ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ଭୁବନେଶ୍ୱର ଜନତା ମୈଦାନରେ ଭୂମି ପୂଜନ ଅନୁଷ୍ଠିତ ହୋଇଛି । ଏଥିରେ ଶିଳ୍ପ ସଚିବ ହେମନ୍ତ ଶର୍ମା ଏବଂ IDCOର ଜେନେରାଲ୍ ମ୍ୟାନେଜର ଭୂପେନ୍ଦ୍ର ସିଂହ ପୁନିଆ ଉପସ୍ଥିତ ଥିଲେ । ଆସନ୍ତା ନଭେମ୍ୱର ୩୦ରୁ ଡିସେମ୍ୱର ୪ ତାରିଖ ପର୍ଯ୍ୟନ୍ତ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ହେବ । ସେଥିପାଇଁ ଆଜିଠାରୁ ଜନତା ମଇଦାନରେ ଭୂମି ପୂଜନ ସହ ପାଭିଲିୟନ ନିର୍ମାଣ ଆରମ୍ଭ ହୋଇଛି । ପୁଞ୍ଜି ନିବେଶକାରୀଙ୍କ ପାଇଁ ପଞ୍ଜୀକରଣ ବ୍ୟବସ୍ଥା ଆରମ୍ଭ ହୋଇଛି ।

ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୱେବ୍ ପୋର୍ଟାଲର ଶୁଭାରମ୍ଭ କରିଥିଲେ । ଚଳିତବର୍ଷ ନୂଆ ଶିଳ୍ପନୀତି-୨୦୨୨ ଆସିବ। ଏଥିରେ ଇସ୍ପାତ ଓ ଆଲୁମିନିୟମ ଶିଳ୍ପକୁ ଅଗ୍ରାଧିକାର ଦିଆଯାଉଛି। ରାଜ୍ୟରେ ଗଚ୍ଛିତ କଞ୍ଚାମାଲକୁ ଅଗ୍ରାଧିକାର ଦେଇ ପୁଞ୍ଜିନିବେଶକୁ ଉତ୍ସାହିତ କରାଯାଉଛି । ଅଧିକ ରୋଜଗାର ସୃଷ୍ଟି ପାଇଁ ଉଦ୍ୟମ କରାଯିବ। ଶିଳ୍ପନୀତି-୨୦୨୨ରେ ପଶ୍ଚିମ ଓଡ଼ିଶାରେ ଶିଳ୍ପାୟନକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଶିଳ୍ପନୀତିରେ ବିଜୁ ଇକୋନୋମିକ କରିଡରର ବ୍ୟବସ୍ଥା ହେବ। ହସ୍ତତନ୍ତ, ବୟନଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ, କୃଷି ପାଇଁ ପୁଞ୍ଜି ସବସିଡି ସହ ବିଦ୍ୟୁତ ସବସିଡି ମଧ୍ୟ ଯୋଗାଇ ଦିଆଯିବ।

ପୂର୍ବରୁ ଦୁବାଇ, ଅହମ୍ମଦାବାଦ, ନୂଆଦିଲ୍ଲୀ, ମୁମ୍ୱାଇ, ବେଙ୍ଗାଲୁରୁ ଓ ହାଇଦ୍ରାବାଦରେ ନିବେଶକାରୀଙ୍କ ସହ ଆଲୋଚନା ହୋଇଛି । ପୁଞ୍ଜିନିବେଶ ପାଇଁ ୨୩୦ଟି ଆବେଦନ ପତ୍ର ମିଳିଛି । ୧୮୦ଟି ଲେଟର ଅଫ ଇଣ୍ଟେଣ୍ଟ ଆସିଛି । ଏସବୁକୁ ସମୀକ୍ଷା କରାଯାଉଛି । ମେକ୍‌ ଇନ୍ ଓଡ଼ିଶା କନକ୍ଲେଭର ତୃତୀୟ ସଂସ୍କରଣକୁ ଚିତ୍ତାକର୍ଷକ ଓ ବଡ଼ ଆକାରରେ କରିବାକୁ ପ୍ରସ୍ତୁତି ଚାଲିଛି । ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ସହଭାଗିତା ପାଇଁ ନରୱେ ଓ ଜର୍ମାନୀ ଆଗ୍ରହ ପ୍ରକାଶ କରିଛନ୍ତି ।

Latest Posts

Don't Miss