ଆହୁରି ତିନି ଦିନ ଜାଳିବ, ସକାଳ ୮ଟା ସୁଦ୍ଧା ରାଜଧାନୀରେ ତାପମାତ୍ରା ୩୪ ଡିଗ୍ରୀ ରେକର୍ଡ

1 min read

ଭୁବନେଶ୍ବର: ଗତ କିଛିଦିନ ଧରି ରାଜ୍ୟରେ ତାତିରେ ବ୍ରେକ ଲାଗିଥିବା ବେଳେ ଆଗାମୀ ୨-୩ ଦିନ ମଧ୍ୟରେ ପୁଣି ଦିନ ତାପମାତ୍ରାରେ ୩ରୁ ୪° ସେଲସିୟସ ଯାଏଁ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ପୂର୍ବାନୁମାନ ଅନୁଯାୟୀ ଆସନ୍ତାକାଲି ଠାରୁ ରାଜ୍ୟକୁ ପଶ୍ଚିମ/ ଉତ୍ତର ପଶ୍ଚିମ ଦିଗରୁ ଗରମ ଓ ଶୁଷ୍କ ବାୟୁ ପ୍ରବାହ ହେତୁ ପୁଣି ଦିନ ତାପମାତ୍ରା ବୃଦ୍ଧି ପାଇବ।

ବିଶେଷକରି ଆସନ୍ତା ୪୮ ଘଣ୍ଟା ପରେ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲା (ବଲାଙ୍ଗୀର, ନୂଆପଡା, ବରଗଡ଼, ବୌଦ୍ଧ, ସୋନପୁର, ସୁନ୍ଦରଗଡ଼, ଅନୁଗୁଳ, କେନ୍ଦୁଝର, ମୟୁରଭଞ୍ଜ, ଢେଙ୍କାନାଳ) ରେ ଦିନ ତାପମାତ୍ରା ସାମାନ୍ୟ ଠାରୁ ଅଧିକ ରହିବା ସହ ଉକ୍ତ ଜିଲ୍ଲାମାନଙ୍କରେ ଗ୍ରୀଷ୍ମ ପ୍ରବାହ ଜାରି ରହିପାରେ।

ସେପଟେ ୧୯ ତାରିଖ ବେଳକୁ ଦକ୍ଷିଣ – ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଆଣ୍ଡମାନ ସାଗର ତତ୍ ସଂଲଗ୍ନ ଦକ୍ଷିଣ ପୂର୍ବ ବଙ୍ଗୋପସାଗରର କିଛି ଅଞ୍ଚଳକୁ ପ୍ରବେଶ କରିବା ପାଇଁ ପାଣିପାଗ ଅନୁକୂଳ ରହିଛି।

ଆସନ୍ତା ୨୦ ତାରିଖ ପରେ ବଙ୍ଗୋପସାଗର ସକ୍ରିୟ ରହିବ। ୨୧ରୁ ୨୩ ତାରିଖ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପରବର୍ତ୍ତୀ ୪ ରୁ ୫ ଦିନରେ ଅଧିକ ଘନୀଭୂତ ହୋଇପାରେ। ତେବେ ଏହାର ଗତିପଥ, ତୀବ୍ରତା ଇତ୍ୟାଦି ଅସ୍ପଷ୍ଟ ରହିଛି। ଆସନ୍ତା ୩ରୁ ୪ ଦିନ ମଧ୍ୟରେ ଏହି ସିଷ୍ଟମ ସମ୍ପର୍କରେ ଅଧିକ ତଥ୍ୟ ମିଳିପାରିବ ।