ରାଜଧାନୀରେ ଦୁର୍ବୃତ୍ତଙ୍କ ଆତଙ୍କରାଜ; ଦୁଇ ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ

Crime Story

ଭୁବନେଶ୍ୱର: ରାଜଧାନୀରେ ଦିନକୁ ଦିନ ବଢ଼ୁଛି ଅପରାଧ । ଖୁଲମ୍‌ ଖୁଲା ଅପରାଧ ଘଟାଉଛନ୍ତି ଦୁର୍ବୃତ୍ତ । ବନ୍ଧୁକ ଧରି ଆରମ୍‌ରେ ବୁଲୁଛନ୍ତି ଆଉ ଲୁଟ୍‌ କରୁଛନ୍ତି । ଲୁଟ୍‌ ସାଙ୍ଗକୁ ହତ୍ୟା ଧମକ, ବଟି ଆଦାୟ ସତେ ଯେମିତି ରାଜଧାନୀ ପାଇଁ ନିତିଦିନିଆ କଥା ହେଲାଣି । ମରଣାନ୍ତକ ଆକ୍ରମଣ, ଗୋଷ୍ଠି ସଂଘର୍ଷ, ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହାଣିବା ଭଳି ଘଟଣା ରାଜଧାନୀରେ ବାରମ୍ବାର ଘଟୁଥିବା ଦେଖାଯାଇଛି ।

ତେବେ ସେହିଭଳି ଏକ ଘଟଣା ସୋମବାର ରାତିରେ ପୁଣି ଘଟିଛି । କିଛି ଦୁର୍ବୃତ୍ତ ଭୁବନେଶ୍ୱର ଗୌତମ ନଗର ରେଳୱେ ବସ୍ତିରେ ନିଜର ଆତଙ୍କରାଜ ଦେଖାଇଛନ୍ତି । ୨ ଜଣଙ୍କୁ ଗୋଡାଇ ଗୋଡାଇ ହାଣିଛନ୍ତି ୩ ଜଣ ଦୁବୁର୍ତ୍ତ । ପୂର୍ବ ଶ୍ରତ୍ରୁତାକୁ କେନ୍ଦ୍ର କରି ଏଭଳି ରକ୍ତପାତ ହୋଇଥିବା ସୂଚନା ମିଳିଛି । ଦୁର୍ବୃତ୍ତଙ୍କ ଆକ୍ରମଣରେ ୨ଜଣ ଅବସ୍ଥା ଅତ୍ୟନ୍ତ ଗୁରୁତର ହେବାରୁ ସେମାନଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି । ସେମାନେ ହେଲେ ମଣ୍ଟୁ ମହାନ୍ତି ଓ ରାଜକିଶୋର ରାୟ । ଖବରପାଇ ଘଟଣାସ୍ଥଳରେ ବଡଗଡ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସେହିଭଳି ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ ମଧ୍ୟ ଉନ୍ମତ୍ତ କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି । ସାମାନ୍ୟ ବଚସାରୁ ଉତ୍ତେଜିତ ହୋଇ ପଡୋଶୀଙ୍କ ଉପରକୁ ଗୁଳିମାଡ଼ କରିଛନ୍ତି ଅବସରପ୍ରାପ୍ତ ସେନା କର୍ମଚାରୀ । ଭୁବନେଣଶ୍ୱରର ଭରତପୁର ବସ୍ତିର ଏଭଳି ଘଟଣା ଘଟିଛି । ଗୁଳିମାଡ଼ରେ କୁଞ୍ଜବିହାରୀ ବେହେରା ନାମକ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି । ତାଙ୍କ ହାତରେ ୨ ରାଉଣ୍ଡ ଗୁଳି ବାଜିଛି । ଆହତଙ୍କୁ ପ୍ରଥମେ ଘରୋଇ ହସ୍ପିଟାଲ ଓ ପରେ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି ।

ଘଟଣାରେ ପୋଲିସ ଅଭିଯୁକ୍ତ ଅବସରପ୍ରାପ୍ତ ସେନା କର୍ମଚାରୀ ଅଶ୍ୱିନୀ ରାଉତଙ୍କୁ ଗିରଫ କରିଛି । ତାଙ୍କ ପାଖରୁ ଗୁଳିମାଡ଼ରେ ବ୍ୟବହୃତ ବନ୍ଧୁକ ଜବତ ମଧ୍ୟ କରାଯାଇଛି । ଅଶ୍ୱିନୀଙ୍କ କୋଭିଡ୍‌ ଟେଷ୍ଟ ପରେ କୋର୍ଟଚାଲାଣ କରାଯିବ ବୋଲି ପୋଲିସ କହିଛି । ଏଥିସହ ବନ୍ଧୁକ ଲାଇସେନ୍ସ ପ୍ରାପ୍ତ ନା ନାହିଁ ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।

Leave a Reply