ପ୍ରେମିକାକୁ ନେଇ କୁଆଡେ ଗଲା କିଲର ପ୍ରେମିକ ?

ଭୁବନେଶ୍ବର: ପ୍ରେମିକାକୁ ନେଇ କୁଆଡେ ଗଲା କିଲର ପ୍ରେମିକ ? ରାଜ୍ୟ ବାହାରକୁ ଚାଲିଗଲା କି ପିଙ୍କୁ ? ନାରକୀୟ କାଣ୍ଡ ଘଟାଇଥିବା ନିହାରିକା ଏବେ କେଉଁଠି ? ଭୁବନେଶ୍ବର ଲକ୍ଷ୍ମୀସାଗର ତ୍ରିକୋଣୀୟ ପ୍ରେମକୁ ନେଇ ହତ୍ୟା ମାମଲାକୁ ୩୬ ଘଣ୍ଟା ପୂରିଥିଲେ ବି ପୋଲିସ ହାତ ଖାଲି । ମୁଖ୍ୟ ଅଭିଯୁକ୍ତ ସହ ଜଣେ ଯୁବତୀ ଓ ୪ ସହଯୋଗୀଙ୍କୁ ଧରିବା ପାଇଁ ଚଢାଉ ଜାରି ରଖିଛି ପୋଲିସ । ଶୁକ୍ରବାର ବିଳମ୍ବିତ ରାତିରେ ଘଟିଥିଲା ଏହି ହତ୍ୟାକାଣ୍ଡ । ମୃତକ ହେଲେ ଲକ୍ଷ୍ମୀସାଗର ଅଞ୍ଚଳର ଅଞ୍ଜନ । ସାଙ୍ଗକୁ ରକ୍ଷା କରିବାକୁ ଯାଇ ଅଭିଯୁକ୍ତର ଆକ୍ରମଣର ଶିକାର ହୋଇଥିଲେ। ଶୁକ୍ରବାର ରାତିରେ ଅଭିଯୁକ୍ତ ପିଙ୍କୁ ଓ ନିହାରିକା ପୁରୁଣା ପ୍ରେମିକ ଗୌତମକୁ ଡକାଇଥିଲେ । ଗୌତମ ରାତି ଅଧରେ ଏକା ନଆସି ନିଜ ସାଙ୍ଗ ଅଞ୍ଜନ ବେହେରାଙ୍କୁ ଡାକିଥିଲେ । ଅଞ୍ଜନ ଓ ଗୌତମ ପହଞ୍ଚିବା ମାତ୍ରେ ଯୁବତୀଙ୍କ ଉପସ୍ଥିତିରେ ପିଙ୍କୁ ଖଣ୍ଡା କାଢି ଭାଇଗିରି ଦେଖାଇଥିଲା । ରାଗରେ ଜର୍ଜରିତ ହୋଇ ଗୌତମଙ୍କ ଉପରକୁ ଚୋଟ ପକାଇଥିଲା । ଯେଉଁଥିରେ ଗୌତମ ଅଳ୍ପକେ ବତ୍ତି ଯାଇଥିଲେ। କିନ୍ତୁ ପ୍ରାଣ ହରାଇଥିଲେ ଅଞ୍ଜନ । ସେପଟେ ଘଟଣା ପରଠୁ ପ୍ରେମିକ ସହିତ ଫେରାର ହୋଇଯାଇଛନ୍ତି ବୋଲି ଭଉଣୀକୁ ମେସେଜ ଦେଇଛନ୍ତି ଯୁବତୀ ଜଣକ । ଲକ୍ଷ୍ମୀସାଗର ଥାନା ପୋଲିସ ପାରିପାର୍ଶ୍ବିକ ପରିସ୍ଥିତି, ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଅଧାରରେ ତଦନ୍ତ ଚଳାଇଛି । ମୁଖ୍ୟ ଅଭିଯୁକ୍ତ ପିଙ୍କୁ, ଗାର୍ଲଫ୍ରେଣ୍ଡ ନିହାରିକା ଓ ୪ ସହଯୋଗୀଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରଖିଥିବା ବେଳେ, ଅନ୍ୟ ଜିଲ୍ଲାରେ ସେମାନେ ଲୁଚିଥିବା ଜାଣିବାକୁ ପାଇଛି ପୋଲିସ ।