ଓଡ଼ିଶା ସହ ଯୋଡି ହେବ ଉତ୍ତର-ପୂର୍ବ ରାଜ୍ୟ, ଆସନ୍ତା ୨୯ରୁ ଭୁବନେଶ୍ବରରୁ ଗୌହାଟୀ ଡାଇରେକ୍ଟ ଫ୍ଲାଇଟ୍

1 min read

ଭୁବନେଶ୍ୱର :  ଓଡ଼ିଶା ସହ ଯୋଡି ହେବ ଉତ୍ତର-ପୂର୍ବ ରାଜ୍ୟ । ଅକ୍ଟୋବର ୨୯ରୁ ଭୁବନେଶ୍ବରରୁ ଗୌହାଟୀ ଡାଇରେକ୍ଟ ଫ୍ଲାଇଟ୍ । ସପ୍ତାହକୁ ୭ ଦିନ ଇଣ୍ଡିଗୋ ଯୋଗାଇବ ବିମାନ ସେବା । ଦେଢ ଘଣ୍ଟାରେ ଭୁବନେଶ୍ୱରରୁ ଗୌହାଟୀ ପହଞ୍ଚିବେ ଯାତ୍ରୀ ।

ଆଗକୁ ଜମ୍ମୁ, ଚଣ୍ଡିଗଡ ଏବଂ ସୁରଟକୁ ସିଧାସଳଖ ଉଡିପାରେ ବିମାନ । ଯାତ୍ରୀଙ୍କ ଡିମାଣ୍ଡ ଦେଖି ଏୟାରପୋର୍ଟ କର୍ତ୍ତୃପକ୍ଷ ନେବେ ନିଷ୍ପତ୍ତି । ଯାତ୍ରୀଙ୍କ ଭିଡକୁ ଦେଖି ଯୋଜନା କରୁଛନ୍ତି ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର କର୍ତ୍ତୃପକ୍ଷ । ପୂର୍ବରୁ ଓଡ଼ିଶା ସହ ଯୋଡି ହୋଇଛି ୨୦ଟି ଡେଷ୍ଟିନେସନ । ଦୈନିକ ୧୩ ହଜାରରୁ ଅଧିକ ଯାତ୍ରୀ କରୁଛନ୍ତି ଯିବା ଆସିବା । ଗୌହାଟୀକୁ ସିଧା ବିମାନ ସେବାରେ ଖୁସି ପ୍ରକଟ କରିଛନ୍ତି ଯାତ୍ରୀ । ଏଣିକି ସମୟ ବଞ୍ଚିବା ସହ କାମ ସହଜ ହେବ ବୋଲି କହିଛନ୍ତି ଯାତ୍ରୀ ।

ଅକ୍ଟୋବର ୨୯ ତାରିଖରୁ ଭୁବନେଶ୍ବରରୁ ଗୌହାଟୀକୁ ସିଧାସଳଖ ବିମାନସେବା ଆରମ୍ଭ ହେବା ପରେ ମାତ୍ର ଦେଢ଼ ଘଣ୍ଟାରେ ଗୌହାଟୀରେ ପହଞ୍ଚିବେ ଯାତ୍ରୀ । ଭୁବନେଶ୍ବର ସହ ୨୦ଟି ସ୍ଥାନ ସିଧା ଯୋଡ଼ି ହୋଇଥିବା ବେଳେ ଗୌହାଟୀ ୨୧ତମ ସ୍ଥାନ ହେବ । ପୂର୍ବରୁ ଭୁବନେଶ୍ବରରୁ ଗୌହାଟୀକୁ ଭାୟା କୋଲକାତା ଦେଇ ଯାଉଥିଲେ ବିମାନ ଯାତ୍ରୀ । ଏଥିପାଇଁ ୧୨ରୁ ୧୬ ଘଣ୍ଟା ସମୟ ଲାଗୁଥିଲା । ଏବେ ଦିନ ୧ଟା ୨୫ରୁ ଭୁବନେଶ୍ବରରୁ ବାହାରି ୨ଟା ୫୫ରେ ଗୌହାଟୀରେ ପହଞ୍ଚିବ ବିମାନ । ଗୌହାଟୀରୁ ୩ଟା ୫୦ରେ ବାହାରି ୫ଟା ୨୦ରେ ଭୁବନେଶ୍ୱରରେ ପହଞ୍ଚିବ ।

ରାଜ୍ୟ ସରକାରଙ୍କ ଉଦ୍ୟମରେ ଦୁବାଇ ଏବଂ ସିଙ୍ଗାପୁରକୁ ସିଧାସଳଖ ବିମାନ ଉଡୁଛି । ଏବେ ଭୁବନେଶ୍ବରରୁ ଦୈନିକ ୫୦ଟି ଫ୍ଳାଇଟ୍‌ ଉଡ଼ାଣ ଓ ୫୦ଟି ବିମାନ ଅବତରଣ କରୁଛନ୍ତି । ୭ ହଜାର ଯାତ୍ରୀ ଆସୁଥିବା ବେଳେ ୬ ହଜାରରୁ ଅଧିକ ଯାତ୍ରୀ ବିଭିନ୍ନ ସ୍ଥାନକୁ ଯାଉଛନ୍ତି । ଯାତ୍ରୀ ସଂଖ୍ୟାକୁ ଦେଖି ବିଭିନ୍ନ ସ୍ଥାନକୁ ସିଧା ବିମାନ ସେବା ବ୍ୟବସ୍ଥା କରାଯାଉଛି ।