ଗଞ୍ଜେଇ ବେପାର ପଛରେ ଏସଟିଏଫ ଅଧିକାରୀ, ଭାଇରାଲ ହେଉଛି ଅଡିଓ

1 min read

ଭୁବନେଶ୍ବର: ବାଡ ଯଦି ଫସଲ ଖାଏ ତେବେ ଗୁହାରୀ କରିବା କାହାକୁ । ଏଭଳି ସ୍ଥିତି ଦେଖିବାକୁ ମିଳିଛି ଦେବଗଡ ଜିଲ୍ଲା ରିଆମାଳ ଅଞ୍ଚଳରେ । ଏସଟିଏଫ୍ ଅଧିକାରୀ ଗୋଦାମରେ ଚଢ଼ାଉ କରି ଗଞ୍ଜେଇ ଜବତ କଲେ । ହେଲେ ସବୁ ଗଞ୍ଜେଇ ନଦେଖାଇ କିଛି ଦେଖାଇଲେ । ବାକି ଗଞ୍ଜେଇକୁ ପୋଲିସ ସୁରକ୍ଷା ମଧ୍ୟରେ ଚାଲାଣ କରିବା ଭଳି ସତ ପଦାକୁ ଆସିଛି । ନିଜେ ଏସଟିଏଫ ଅଧିକାରୀ ଗଞ୍ଜେଇ ଚାଲାଣ କରିବା ସହ ଗଞ୍ଜେଇ ମାଫିଆଙ୍କଠାରୁ ୩ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲେ । ଏଭଳି ଏକ ଘଟଣା ସମ୍ପର୍କରେ ଜଣେ ଗଞ୍ଜେଇ ବେପାରୀ ଓ ଜଣେ ପୋଲିସ ଅଧିକାରୀଙ୍କ ବାର୍ତ୍ତାଳାପର ଅଡିଓ ଭାଇରାଲ ହୋଇଛି ।

ସୂଚନାଯୋଗ୍ୟ, ଭୁବନେଶ୍ଵର ଏସଟିଏଫର ଏକ ସ୍ଵତନ୍ତ୍ର ଟିମ୍ ଦେବଗଡ ବଞ୍ଜାରି ଗାଁର ଜଣେ ଗଞ୍ଜେଇ ବ୍ୟବସାୟୀଙ୍କ ଏକ ଗୋଦାମ ଘରେ ୬ ତାରିଖରେ ଚଢ଼ାଉ କରିଥିଲେ । ଏହି ଚଢାଉରେ ଏକ ଟନରୁ ଊର୍ଦ୍ଧ୍ଵ ବେଆଇନ ଗଞ୍ଜେଇ ଜବତ କରିଥିଲେ । ଏଥିସହ ଗୋଟିଏ ଆଇଚର ଟ୍ରକ, ଗୋଟିଏ ହାଇୱା ଓ ଗୋଟିଏ ଟାଟା ପିକଅପ ଭ୍ୟାନ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ୫ ଜଣଙ୍କୁ ଗିରଫ କରିଥିଲେ । ଗିରଫ ଅଭିଯୁକ୍ତମାନେ ହେଲେ ରେଢ଼ାଖୋଲ ଥାନା ବିଶ୍ୱନାଥପୁରର ଆଶିଷ କୁମାର ବାରିକ, ବରଗଡ଼ କେଶବ ନଗରର ସୁବାଷ ସିକଦାର, ଅନୁଗୋଳ ହଣ୍ଡପାର ରତନ କିଶୋର ସାହୁ ଏବଂ ଛେଣ୍ଡିପଦା ତେଲିବଣୀର ସମିତ ନାୟକ । ଗିରଫ ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା ।

ଭାବୁଥିବେ କଇା ସରିଗଲା ବୋଲି । ହେଲେ ପ୍ରକୃତ ଘଟଣା ଏଇଠୁ ଆରମ୍ଭ ହୋଇଛି । ଆଜ୍ଞା ହଁ ଚଢ଼ାଉ ବେଳେ ସମ୍ପୂର୍ଣ୍ଣ ଗଞ୍ଜେଇ ଜବତ କରାଯାଇ ନଥିଲା । ୨ କ୍ବିଣ୍ଟାଲ ଗଞ୍ଜେଇକୁ ନିଜେ ଅଧିକାରୀ କୋଲକାତା ଚାଲାଣ କରିଦେଇଥିଲେ । ପୋଲିସ ଅଧିକାରୀ କିଛି ଗଞ୍ଜେଇ ରଖିଥିବା ବେଳେ, ପୋଲିସକୁ ଖବର ଦେଉଥିବା ଲୋକ ପାଖରେ କିଛି ଗଞ୍ଜେଇ ବିକ୍ରି ପାଇଁ ରହିଥିଲା । ପ୍ରାୟ ୭ କ୍ବିଣ୍ଟାଲ ଗଞ୍ଜେଇ ଚାଲାଣ ପାଇଁ STFର ଡିଏସପି ଗଞ୍ଜେଇ ମାଫିଆଙ୍କଠାରୁ ୩ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଭାଇରାଲ ଅଡିଓରେ ସ୍ପଷ୍ଟ ହୋଇଛି । କେମିତି ଥିଲା ଚଢାଉ ? କାହା ଭାଗରେ କେତେ ଟଙ୍କା ଆଉ ଗଞ୍ଜେଇ ପଡିଲା ଭାଇରାଲ ଅଡିଓରେ ଏହି ସମସ୍ତ ତଥ୍ୟ ରହିଛି । ଏହି ଅଡିଓରେ ପୋଲିସକୁ ଖବର ଦେଉଥିବା ଜଣେ ବ୍ୟକ୍ତିଙ୍କ ସହ ଚଢାଉ ସମୟରେ ଥିବା ଜଣେ ପୋଲିସ ଅଧିକାରୀଙ୍କ ମଧ୍ୟରେ କଥାବାର୍ତ୍ତା ରହିଛି ।

ଏସଟିଏଫ ଡିଏସପି ସଚ୍ଚିଦାନନ୍ଦ ରଥଙ୍କ ତଦାରଖରେ ଭୁବନେଶ୍ୱର ଏସଟିଏଫର ଡିଏସପି ଦେବାଶିଷ ଜେନା ଏହି ଚଢାଉ କରିଥିଲେ । ଅନୁଗୋଳ ଜିଲ୍ଲା ବନ୍ତଳା ଅଞ୍ଚଳର ବିଭାଗୀୟ ଖବରଦାତାଙ୍କ ସହ ଘଟଣା ସ୍ଥଳରେ ଆସି ଚଢାଉକୁ କାର୍ଯ୍ୟକାରୀ କରିଥିଲେ ।  ଏସଟିଏଫ ଏଭଳି ଚଢ଼ାଉ ଓ ସଫଳତା ପରେ ନିଜ ପିଠିକୁ ନିଜେ ଥାପୁଡେଇ ଥିଲା । ଆଉ ଏବେ ବଞ୍ଜାରି ଚଢ଼ାଉରେ ସାମିଲ ଥିବା ଏସଟିଏଫ ଟିମର ଅଧିକାରୀଙ୍କ କଳାକାରନାମା ପଦାକୁ ଆସିଛି । ଘଟଣାର ମୁଖ୍ୟ ଇନଫର୍ମରଙ୍କ ସହ ଅନ୍ୟ ଜଣେ ପୋଲିସ ଅଧିକାରୀଙ୍କ କଥାବାର୍ତ୍ତାର ଅଡିଓ ବିଭିନ୍ନ ମୋବାଇଲରେ ଭାଇରଲ ହୋଇଛି ।

ବଞ୍ଜାରି ଘଟଣାରେ ଏସଟିଏଫ ଟିମ ଚଢାଉ ମାଧ୍ୟମରେ ନିଜେ ଗଞ୍ଜେଇ ଚାଲାଣ କରିଥିବା ସତ ଏବେ ପଦାକୁ ଆସିଛି । ଏହି କଥାବାର୍ତ୍ତାର ଅଡିଓ ଶୁଣିବା ପରେ ଏସଟିଏଫ ଟିମର ଅଧିକାରୀ ଓ କର୍ମଚାରୀଙ୍କ କାରନାମା ବିଭାଗକୁ ଲଜ୍ଜିତ କରିବ ନିଶ୍ଚୟ । ହେଲେ ଏହି ଅଧିକାରୀଙ୍କ ବିରୋଧରେ ବର୍ତ୍ତମାନ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସେପଟେ ଦେବଗଡ ଏସପି କହିଛନ୍ତି ମାମଲାଟି ଏସଟିଏଫର ଥିବାରୁ ସେମାନଙ୍କ ବରିଷ୍ଠ ଅଧିକାରୀ ମାମଲାର ତଦନ୍ତ କରିବା କଥା ।