ରାଜଧାନୀରେ ପୁଣି ଏକାଧିକ ସ୍ଥାନୀୟ ଲୋକ କରୋନା ସଂକ୍ରମିତ, ସିଲ୍‌ ହେଲା ଆରଟିଓ ଅଫିସ୍‌..

1 min read
Bhubaneswar RTO Office Seal Due To Covid 19
RTO

ଭୁବନେଶ୍ୱର: ଭୁବନେଶ୍ୱରରେ ବଢିବାରେ ଲାଗିଛି କରୋନା ଗ୍ରାଫ୍‌ । ଭୁବନେଶ୍ୱର ଆରଟିଓ-୧ରୁ ୪ ପଜିଟିଭ୍‌ ଚିହ୍ନଟ ପରେ ଆରଟିଓ ଅଫିସକୁ ସିଲ କରାଯାଇଛି । ସେହିପରି କଟକରୋଡ୍‌ ଆଇସିଆଇସିଆଇ ବ୍ରାଞ୍ଚ ଏବଂ ଶ୍ରୀୟା ଛକ ମେନ୍ ବ୍ରାଞ୍ଚରୁ ୧୫ ପଜିଟିଭ୍‌ ଚିହ୍ନଟ ପରେ ଉଭୟ ଶାଖା ବନ୍ଦ ରଖାଯାଇଛି ।

ଅନ୍ୟପଟେ ନଖରା ସ୍ଥିତ ଗତି ଗୋଦାମରୁ ୨ ପଜିଟିଭ ଚିହ୍ନଟ ପରେ ତାକୁ ମଧ୍ୟ ସିଲ କରିଛି ବିଏମ୍‌ସି । ସେହିଭଳି ଖୋର୍ଦ୍ଧା ଜିଲ୍ଲାର ୩୭ ପଜିଟିଭଙ୍କ ମଧ୍ୟରେ କେବଳ ଭୁବନେଶ୍ୱରରୁ ମଙ୍ଗଳବାର ୨୯ଜଣ ଚିହ୍ନଟ ହୋଇଛନ୍ତି । ଫଳରେ ଭୁବନେଶ୍ୱରର ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୪୭୯ରେ ପହଁଚିଛି ।

ମଙ୍ଗଳବାର ଚିହ୍ନଟ ୨୯ଜଣଙ୍କ ମଧ୍ୟରୁ ୧୪ଜଣ ହୋମ୍‌ କ୍ୱାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ଜଣେ କରୋନା ଯୋଦ୍ଧା ଏବଂ ଅବଶିଷ୍ଟ ୧୪ଜଣ ସ୍ଥାନୀୟ ସଂକ୍ରମିତ ବୋଲି ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି ।

ସେପଟେ ଭୁବନେଶ୍ୱରରୁ ଆଜି ୩ଜଣ ସୁସ୍ଥ ହୋଇଥିବା ବେଳେ ଭୁବନେଶ୍ୱରର ମୋଟ ସୁସ୍ଥଙ୍କ ସଂଖ୍ୟା ୨୭୭ରେ ପହଁଚିଛି । ଏବେ ୧୯୫ଟି ସକ୍ରିୟ ମାମଲା ରହିଛି । ତେବେ ରାଜଧାନୀ ଭୁବନେଶ୍ୱରରେ କରୋନା ଜନିତ ମୃତ୍ୟୁସଂଖ୍ୟା ୬ରେ ସ୍ଥିର ଅଛି ।

Leave a Reply