ପୁରୀ ପରେ ଭୁବନେଶ୍ୱର ରାମ ମନ୍ଦିର ଭିକାରୀଙ୍କୁ ଥଇଥାନ ଯୋଜନା..

Ram mandir

ଭୁବନେଶ୍ୱର: ସ୍ମାର୍ଟସିଟି ହେବ ଭିକାରୀ ମୁକ୍ତ । ବଡଦାଣ୍ଡ ଢାଞ୍ଚାରେ ପର୍ଯ୍ୟାୟ କ୍ରମେ ବିଭିନ୍ନ ମନ୍ଦିର ଅଞ୍ଚଳରୁ ଭିକାରୀଙ୍କୁ କରାଯିବ ଥଇଥାନ । ପ୍ରଥମ ପର୍ଯ୍ୟାୟରେ ରାମ ମନ୍ଦିର ଅଞ୍ଚଳକୁ ଭିକାରୀ ମୁକ୍ତ ପାଇଁ ଘୋଷଣା କରିଛି ବିଏମ୍‌ସି । ଭିକାରୀଙ୍କୁ କେବଳ ବାରଣ କରାଯିବନି ବରଂ ସେମାନଙ୍କୁ ଚିହ୍ନଟ କରି ବିଭିନ୍ନ ଆଶ୍ରୟ ସ୍ଥଳରେ ଥଇଥାନ କରାଯିବ ।

Ram Mandir Bhubaneswar

ଏନେଇ ରାମ ମନ୍ଦିର ଟ୍ରଷ୍ଟି କର୍ମକର୍ତ୍ତାଙ୍କୁ ଅବଗତ କରାଯାଇଛି । ହୋର୍ଡିଂ ଓ ବ୍ୟାନର ମାଧ୍ୟମରେ ସଚେତନ କରିବେ ଟ୍ରଷ୍ଟି । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ବିଜ୍ଞପ୍ତି ଆଧାରରେ ବିଏମ୍‌ସି ଏହି ପଦକ୍ଷେପ ନେଇଥିବା ଜଣାପଡିଛି । ମନ୍ଦିର ନିକଟରେ ଥିବା ୨ଟି ସହରାଞ୍ଚଳ ଆଶ୍ରୟସ୍ଥଳୀରେ ଭିକ୍ଷୁକଙ୍କୁ ଥଇଥାନ କରାଯାଉଛି । ଇତି ମଧ୍ୟରେ ମନ୍ଦିର ନିକଟରୁ ଏକାଧିକ ଭିକ୍ଷୁକଙ୍କୁ ଉଦ୍ଧାର କରି ବିଭିନ୍ନ ଆଶ୍ରୟସ୍ଥଳରେ ରଖାଯାଇଛି । ସେଠାରେ ସେମାନଙ୍କୁ ଖାଦ୍ୟ, ପାନୀୟ, ପରାମର୍ଶ, ପରିଧାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଭଳି ସମସ୍ତ ବ୍ୟବସ୍ଥା କରାଯାଇଛି ।

Ram Mandir Bhubaneswar

ରାଜଧାନୀର ବିଭିନ୍ନ ସ୍ଥାନରେ ଥିବା ବନ୍ଦିର ସମ୍ମୁଖରେ ଭିକ୍ଷାବୃତ୍ତି କରିଥାନ୍ତି ଭିକ୍ଷୁକ । ତେବେ କୋଭିଡ୍ କଟକଣା ଯୋଗୁଁ ଧାର୍ମିକ ଅନୁଷ୍ଠାନ ବନ୍ଦ ରହିବା ଫଳରେ ସେମାନେ ରୋଜଗାର ହରାଇଛନ୍ତି । କିନ୍ତୁ ଭିକ୍ଷାବୃତ୍ତିକୁ ଅର୍ଥ ରୋଜଗାରର ଏକ ସହଜ ମାଧ୍ୟମ ଭାବେ ଗ୍ରହଣ କରି କିଛି ଯୁବକ ଅନେକ ସମୟରେ ଭକ୍ତ ତଥା ପର୍ଯ୍ୟଟକଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଥିବା ନଜିର ରହିଛି । ତେଣୁ ବିଏମସିର ଏଭଳି ପଦକ୍ଷେପକୁ ସ୍ବାଗତ କରିଛନ୍ତି ମନ୍ଦିର ପରିଚାଳକ । ସେପଟେ ଆଶ୍ରୟ ସ୍ଥଳକୁ ଯିବାକୁ ମଙ୍ଗୁନାହାନ୍ତି ଭିକ୍ଷୁକ । ସେଠାରେ ଅର୍ଥ ଉପାର୍ଜନର ସମସ୍ୟା ସହିତ ନିଶାସେବନ ସମ୍ଭବପର ହେଉନଥିବା କହିଛନ୍ତି ।

ଭିକାରୀଙ୍କୁ କେବଳ ଥଇଥାନ କରାଯିବ ତାହା ନୁହେଁ ବରଂ ସେମାନଙ୍କ ପାଇଁ ଆତ୍ମନିଯୁକ୍ତି କରିବାର ପନ୍ଥା ମଧ୍ୟ ଯୋଗାଇ ଦେବାକୁ ଯୋଜନା ରଖିଛି ବିଏମ୍‌ସି ।

Leave a Reply