ପ୍ରହସନ ପାଲଟିଛି ପୋଲିସର ଯୋଜନା
1 min read
ଭୁବନେଶ୍ୱର : ବହୁ ଆଡମ୍ବରରେ ଲଘୁକ୍ରିୟା । ଅଫିସର ବଦଳିଲେ ବଦଳୁଛି ଯୋଜନା । ପୋଲିସ ସେବା ଭବନରେ କାହିଁକି ବନ୍ଦ ହେଲା ଅଭିଯୋଗ ଶୁଣାଣି ? WE CARE WE DARE ସ୍ଲୋଗାନ ପାଲଟିଛି ପ୍ରହସନ । ୨୦୨୧ ମସିହା ଜାନୁଆରୀ । ତତ୍କାଳୀନ ଡିସିପି ଉମାଶଙ୍କର ଦାସ, ରାଜଧାନୀରେ ଅପରାଧୀଙ୍କ ଡାଟାବେସ ଏକାଠି କରି ରଖିବା ପାଇଁ ଆରମ୍ଭ କରିଥିଲେ ‘କୁଣ୍ଡଳୀ’ ଆପ୍ । ସମାନ ସମୟରେ ଆରମ୍ଭ ହୋଇଥିଲା ‘ସନ୍ଧାନ’ ଆପ୍ । ଯେଉଁଥିରେ ପ୍ରପର୍ଟି ଅଫେନ୍ସ ବା ଚୋରି ସାମଗ୍ରୀ ଓ ଅଭିଯୁକ୍ତ ସମ୍ପର୍କିତ ସମସ୍ତ ତଥ୍ୟ ରହୁଥିଲା । କିଛିଦିନ ବ୍ୟବଧାନରେ ଆରମ୍ଭ ହୋଇଥିଲା ‘ସରାଇ’ ଆପ୍ । ସହରର ବିଭିନ୍ନ ହୋଟେଲ, ଲଜରେ ରହୁଥିବା ଲୋକଙ୍କ ତଥ୍ୟ ଏହି ଆପ ରେ ରହୁଥିଲା । ଫଳରେ ଅପରାଧୀଙ୍କ ଗତିବିଧି ଓ ଆନ୍ତଃରାଜ୍ୟ ଲୁଟେରାଙ୍କ ସମ୍ପର୍କରେ ତଥ୍ୟ ପାଉଥିଲା ପୋଲିସ । ଠିକ ସେହିଭଳି ଭଡାଟିଆ ଚିହ୍ନଟ ପ୍ରକ୍ରିୟା, ପବ୍ଲିକ ଇଣ୍ଟରଫେସ ଆଦି ଅନେକ ଲୋକାଭିମୁଖୀ ଯୋଜନା ପୂର୍ବରୁ ଆରମ୍ଭ କରାଯାଇଥିବା ବେଳେ ତାହା ଏବେ ଏସବୁ ନାଲି ଫିତା ତଳେ । ଅଫିସର ବଦଳିବା ପରେ ଅଧିକାଂଶ ଯୋଜନା ବନ୍ଦ ହୋଇଯାଇଥିବା ବେଳେ, ରକ୍ଷଣାବେକ୍ଷଣ ଅଭାବରୁ ଆଉକିଛି ବନ୍ଦ ହେବା ଉପରେ ।
ସେହିପରି ଓଡିଶା ପୋଲିସ ପକ୍ଷରୁ ଆରମ୍ଭ ହୋଇଥିବା ସହାୟତା ଆପ୍ ମଧ୍ୟ ବର୍ତ୍ତମାନ ଜରାଜୀର୍ଣ୍ଣ ଅବସ୍ଥାରେ । ମହିଳାଙ୍କ ସୁରକ୍ଷା ଓ ପରିବହନ ରେ ସୁବିଧା ଆରମ୍ଭ ହୋଇଥିବା ପିଙ୍କ ଅଟୋ ଓ ‘ମୋ ସାଥି’ ଆପ୍ ର ଚିହ୍ନବର୍ଣ୍ଣ ନାହିଁ । ଅସୁବିଧାରେ ପଡି କୌଣସି ଯୁବତୀ କିମ୍ବା ମହିଳା ଗୁଗୁଲରେ ସର୍ଚ୍ଚ କଲେ ସେବା ଉପଲବ୍ଧ ନଥିବା ଅନେକଙ୍କୁ ବ୍ୟଥିତ କରିଛି । ଗୁରୁତର କଥା ହେଉଛି କିଛିଦିନ ପୂର୍ବରୁ ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପୋଲିସ ସେବା ଭବନରେ ଅଭିଯୋଗ ଶୁଣାଣି ଚାଲୁଥିଲା । ଥାନା ଅଧିକାରୀ ଓ ଜୋନ୍ ଏସିପିଙ୍କ ବିରୋଧରେ ପୁଳାପୁଳା ଅଭିଯୋଗ ଆସିବା ପରେ ଏବେ ସେହି ସେବାକୁ ମଧ୍ୟ ବନ୍ଦ କରିଦିଆଯାଇଛି । ଡିଜିଟାଲ ଇଣ୍ଡିଆର ନାରା ଦିଆଯାଉଥିବା ବେଳେ ଥାନାକୁ ନଯାଇ ଅନଲାଇନ ଏତଲା ଦେବାକୁ ହେଲେ ସାଧାରଣ ଲୋକଙ୍କୁ ନୟାନ୍ତ ହେବାକୁ ପଡୁଛି । ଟ୍ରାଫିକରେ ମଧ୍ୟ ସମଦଶା ଦେଖିବାକୁ ମିଳିଛି । ଲେନ ଡ୍ରାଇଭିଂ, ଡ୍ରୋନ ଚେକିଂ, ନୋ ଓଭର ଟେକିଂ ଜୋନ୍ ଘୋଷଣା କେବଳ ଘୋଷଣାରେ ହିଁ ରହିଯାଇଛି । ବରିଷ୍ଠ ଅଧିକାରୀଙ୍କ ବଦଳି ପରେ ଯୋଜନାର ପରିଭାଷା ମଧ୍ୟ ପରିବର୍ତ୍ତନ ହୋଇଛି ।