ଆଜିଠୁ ଭୁବନେଶ୍ୱର ପୋଲିସ୍ ସେବା ଭବନ ବନ୍ଦ… କର୍ମଚାରୀ ଓ ଭିଜିଟର୍ସଙ୍କୁ ଅଫିସ ମନା…

Bhubaneswar Police Service Building closed till 13th july

ଭୁବନେଶ୍ୱର: ଚିନ୍ତା ବଢାଉଛି କରୋନା । ଦିନ ଗଡ଼ିବା ସହ ବଢୁଛି ସଂକ୍ରମିତଙ୍କ ସଂଖ୍ୟା । ରାଜ୍ୟରେ କରୋନା ସଂକ୍ରୟମିତଙ୍କ ସଂଖ୍ୟା ୧୨ହଜାର ପାର ହେଲାଣି । ରାଜ୍ୟରେ ଗଞ୍ଜାମରେ ସଂକ୍ରମିତଙ୍କ ସଂଖ୍ୟା ସର୍ବାଧିକ ରହିଥିବା ବେଳେ ଖୋର୍ଦ୍ଧା ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢୁଛି । ଭୁବନେଶ୍ୱରରେ ସ୍ଥିତି ଅନିୟନ୍ତ୍ରିତ ହେଉଛି । ଭୁବନେଶ୍ୱରରେ କ୍ୱାରେଣ୍ଟାଇନ ଅପେକ୍ଷା ସ୍ଥାନୀୟ ମାମଲା ପ୍ରଶାସନର ଚିନ୍ତା ବଢାଇଛି । ଏଭଳି ପରିସ୍ଥିତି ସଚେତନ ହିଁ ଏକମାତ୍ର ପନ୍ଥା ହୋଇପଡ଼ିଛି ।

କରୋନା ସ୍ଥିତିକୁ ଦେଖି ଆଜିଠାରୁ ଭୁବନେଶ୍ୱର ପୋଲିସ ସେବା ଭବନକୁ ବନ୍ଦ ରଖାଯାଇଛି । ଆଜି ଏହାକୁ ଦୃଷ୍ଟିରେ ରଖି ପୋଲିସ ସେବା ଭବନ ସାନିଟାଇଜ କରାଯାଉଛି । ଏହାସହ ସୁରକ୍ଷା ଦୃଷ୍ଟିରୁ ଆସନ୍ତା ୧୩ ଜୁଲାଇ ଯାଏଁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ପୂରା ବିଲ୍ଡିଂକୁ ସାନିଟାଇଜ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଅନ୍ୟପଟେ ୧୩ ତାରିଖ ଯାଏଁ ବନ୍ଦ ଘୋଷଣା ପରେ କର୍ମଚାରୀ ଓ ଭିଜିଟର୍ସଙ୍କୁ ଅଫିସ୍ ଯିବାକୁ ବାରଣ କରାଯାଇଛି ।

ତେବେ ଆଜିଠାରୁ ଅନଲକ ୨.୦ରେ ଲକଡାଉନ ଦ୍ୱିତୀୟ ସପ୍ତାହର ପ୍ରଥମ ଦିନ । ରାସ୍ତାଘାଟ ଖାଁ ଖାଁ, ଦୋକାନ ବଜାର ସବୁ ବନ୍ଦ ରହିଛି । କରୋନା ସ୍ଥିତିକୁ ଦେଖି ରାଜ୍ୟର ୧୬ରୁ ଅଧିକ ଜିଲ୍ଲାରେ ଏହି ସଟଡାଉନ୍ ଜାରି ହୋଇଛି । କେବଳ ଔଷଧ ଦୋକାନକୁ ଛାଡିଦେଲେ ବାକି ସବୁ ଦୋକାନ ବନ୍ଦ ରହିଛି । ଏବଂ ବିଭିନ୍ନ ସ୍ଥାନରେ ପୋଲିସର ଚେକିଂ ଓ ବ୍ଲକିଂ ଚାଲିଛି । ଯେଉଁମାନେ ବାହାରକୁ ଯାଉଛନ୍ତି ସେମାନଙ୍କ ପାସ୍ କିମ୍ବା କାର୍ଡ ଦେଖି ପୋଲିସ୍ ସେମାନଙ୍କୁ ଯିବାକୁ ସୁଯୋଗ ଦେଉଛି ।

ଅନଲକ ୨.୦ରେ  ଲକଡାଉନ ପ୍ରଥମ ସପ୍ତାହର ସଟଡାଉନ ସମୟରେ ନିୟମ କଡାକଡି ଥିଲା । ଏକାଠି ହୋଇ ଖଟି କରିବା କିଛି ଜଣଙ୍କୁ ମହଙ୍ଗା ପଡିଲା। ଜୟଦେବ ଭବନ ନିକଟରେ ଥିବା ଓମଫେଡ୍ ବୁଥ ସମ୍ମୁଖରେ ସଟଡାଉନ କଟକଣା ମାନିନଥିବା ଅଭିଯୋଗରେ ୯ ଜଣଙ୍କ ଠାରୁ ଜୋରିମାନା ମଧ୍ୟ ଆଦାୟ କରିଥିଲା କ୍ୟାପିଟାଲ ଥାନା ପୋଲିସ । ସେପଟେ ରାଜଧାନୀରେ ବୃଦ୍ଧି ପାଉଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଅଗ୍ନିଶମ ବିଭାଗ ପକ୍ଷରୁ ଜାରିରହିଛି ବିଶୋଧନ ପ୍ରକ୍ରିୟା ।

Leave a Reply