କେମିତି ହେଲା ବ୍ଲାଷ୍ଟ ? କେଉଁଠି ରହିଥିଲା ତ୍ରୁଟି ? ମାତ୍ର ଗୋଟିଏ ଦିନ ପୂର୍ବରୁ ସବୁ ଠିକ୍ ଥିବା ରିପୋର୍ଟ ଦିଆଯାଇଛି !
1 min readଭୁବନେଶ୍ୱର: କେମିତି ହେଲା ବ୍ଲାଷ୍ଟ ? କେଉଁଠି ରହିଥିଲା ତ୍ରୁଟି ? ମାତ୍ର ଗୋଟିଏ ଦିନ ପୂର୍ବରୁ ସବୁ ଠିକ୍ ଥିବା ରିପୋର୍ଟ ଦିଆଯାଇଛି । ତେବେ ଏହି ବିସ୍ଫୋରଣ ପଛର କାରଣ କ’ଣ ରହିଛି ସେନେଇ ତଦନ୍ତ ଆରମ୍ଭ ହୋଇଛି । ତଦନ୍ତ ପାଇଁ ବାଲେଶ୍ୱରରୁ ଏକ ଟେକ୍ନିକାଲ୍ ଟିମ୍ ଭୁବନେଶ୍ୱର ଅଭିମୁଖେ ବାହାରି ସାରିଛି । ଖୁବ୍ ଶୀଘ୍ର ଏହି ଟିମ୍ ଭୁବନେଶ୍ୱରରେ ପହଞ୍ଚିବ । ପରେ ସ୍ପଷ୍ଟ ହେବ ଯେ, କିଭଳି ହୋଇଥିଲା ବିସ୍ଫୋରଣ ।
ତେବେ ଏଲ୍ପିଜି ଟ୍ୟାଙ୍କରେ ଲିକ୍ ହୋଇ ଏହି ବିସ୍ଫୋରଣ ଘଟିଥିବା ଆଶଙ୍କା କରିଛନ୍ତି ଜଣେ ବରିଷ୍ଠ ପୋଲିସ ଅଧିକାରୀ । ବିସ୍ଫୋରଣ ସ୍ଥଳରେ ଭୁବନେଶ୍ୱରର ସିପି, ଡିସିପି, ଆଇପିଏସ୍ ସତ୍ୟଜିତ ମହାନ୍ତି ସ୍ଥାନୀୟ ଥାନାଧିକାରୀ ଉପସ୍ଥିତ ଅଛନ୍ତି ।
ସୂଚନାଅନୁଯାୟୀ, ଆଜି ମଧ୍ୟାହ୍ନରେ ଭୁବନେଶ୍ୱର ଗଭର୍ଣ୍ଣର ହାଉସ ନିକଟରେ ଥିବା ଇଣ୍ଡିଆନ୍ ଅଏଲ୍ ପେଟ୍ରୋଲ ପମ୍ପରେ ଘଟିଥିଲା ବିସ୍ଫୋରଣ । ଏହି ଘଟଣାରେ ୪ ଜଣ ଆହତ ହୋଇଥିବା ବେଳେ ଦୁଇ ଗୁରୁତର ଅଛନ୍ତି । ଜଣେ ଗୁରୁତରଙ୍କ ହାତ ଛିଣ୍ଡି ତଳେ ପଡ଼ିଥିବା ଦେଖାଯାଇଛି । ଦୁଇ ଜଣ ଗୁରୁତରଙ୍କୁ କଟକ ଏସ୍ସିବି ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ବିସ୍ଫୋରଣ ମାତ୍ରା ଏତେ ଥିଲା ଯେ, ଆଖ ପାଖ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି । ପ୍ରଥମେ ଗ୍ୟାସ୍ ଟ୍ୟାଙ୍କର ଲିକ୍ ହୋଇ ଅଗ୍ନିକାଣ୍ଡ ଘଟିଥିଲା, ପରେ ଏହା ବଡ଼ ବିସ୍ଫୋରଣର ରୂପ ନେଇଥିଲା । ପେଟ୍ରୋଲ ପମ୍ପ ଆଖପାଖ ଅଞ୍ଚଳରେ ଥିବା ଘର ଓ ଗାଡ଼ି ଗୁଡ଼ିକର କାଚ ଭାଙ୍ଗିଯାଇଥିବା ସୂଚନା ମିଳିଛି ।
ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ପରେ ସମ୍ପୂର୍ଣ୍ଣ ଗୋପବନ୍ଧୁ ଅଞ୍ଚଳକୁ ସିଲ୍ କରି ଦିଆଯାଇଛି । ଏହାସହ ଏଜି ଛକ ଓ ପାଓ୍ୱାର ହାଉସ୍ ଛକରେ ଯାତାୟତକୁ ବନ୍ଦ କରି ଦିଆଯାଇଛି ଲୋକଙ୍କୁ ଅଯଥା ଗହଳି ନକରିବା ପାଇଁ ଚେତାବନୀ ଦିଆଯାଉଛି । ପୁଣିଥରେ ବିପଦ ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ ବୋଲି ପୋଲିସ କହିଛି ।
ମୁଖ୍ୟମନ୍ତ୍ରୀ ସମସ୍ତ ଗୁରୁତରଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ସେମାନଙ୍କ ମାଗଣା ଚିକିତ୍ସା କରାଯିବ ବୋଲି ଘୋଷଣାକ କରିଛନ୍ତି ।
CM @Naveen_Odisha has announced free medical treatment of people injured in the fire accident at Petrol Pump near Raj Bhawan, Bhubaneswar and wished their speedy recovery. The fire has been extinguished and situation is under control now.
— CMO Odisha (@CMO_Odisha) October 7, 2020