ରାଜଧାନୀରେ ଆଲର୍ଟ ମୋଡରେ ରହିଛି ପ୍ରଶାସନ

ଭୁବନେଶ୍ୱର: ଅଗ୍ନିପଥକୁ ନେଇ ଥମୁନି ଆକ୍ରୋଶ । କେନ୍ଦ୍ରର ଅଗ୍ନିପଥ ଯୋଜନାକୁ ଦେଶବ୍ୟାପୀ କରାଯାଉଛି ବିରୋଧ । ଏହାର ପ୍ରତିବାଦରେ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି । ବନ୍ଦ ଡାକରା ଯୋଗୁ ହାଇ ଆଲର୍ଟରେ ଆରପିଏଫ୍ ଓ ଜିଆରପି । ହିଂସାକାରୀଙ୍କ ଉପରେ ରହିଛି କଡ଼ା ନଜର । ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନରେ ଅଗ୍ନିପଥକୁ ବିରୋଧ ଆଶଙ୍କାରେ ଆଲର୍ଟ ମୋଡ଼ରେ ରହିଛି ପ୍ରଶାସନ ।

ରାଜଧାନୀ ମାଷ୍ଟର କ୍ୟାଣ୍ଟିନ ଛକରେ ପୋଲିସ ଫୋର୍ସ ମୁତୟନ । ବାଣୀବିହାର ଓ ପଳାଶୁଣି, ରସୁଲଗଡ଼, ଖଣ୍ଡଗିର, ବରମୁଣ୍ଡା ଆଦି ସ୍ଥାନରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଆନ୍ଦୋଳନକାରୀଙ୍କୁ ଅଟକାଇବାକୁ ସଜାଗ ରହିଛି ପୋଲିସ । ସାରା ରାଜଧାନୀର ବିଭିନ୍ନ ଛକରେ ୨୭ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଗଲା ୫ ଦିନ ଧରି ବିକ୍ଷୋଭ, ହିଂସା ଲାଗି ରହିଥିବା ବେଳେ ଦିନକୁ ଦିନ ସ୍ଥିତି ବିଗିଡ଼ିବାରେ ଲାଗିଛି । କେନ୍ଦ୍ର ସରକାରଙ୍କ ରିହାତି ଘୋଷଣା ସତ୍ତ୍ବେ ଥମୁନି ନିଆଁ । ଯୋଜନା ପ୍ରତ୍ୟାହାର ହେବ ନାହିଁ ବୋଲି ସାମ୍ବାଦିକ ସମ୍ମିଳନୀରେ ତିନି ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି । ଅନ୍ୟ ଯବାନଙ୍କ ଭଳି ଅଗ୍ନିବୀରଙ୍କୁ ସୁବିଧା ମିଳିବ ।

ଆସନ୍ତା ୫ ବର୍ଷରେ ୫୦ରୁ ୬୦ ହଜାର ଯୁବକଙ୍କୁ ନିଯୁକ୍ତି ମିଳିବ । ପରବର୍ତ୍ତୀ ସମୟରେ ଏହି ସଂଖ୍ୟା ବୃଦ୍ଧି ପାଇ ହେବ ୧ ଲକ୍ଷ ୨୫ ହଜାର । ଡ୍ୟୁଟି ବେଳେ ପ୍ରାଣ ଚାଲିଗଲେ ମିଳିବ ୧ କୋଟି ଚଙ୍କାର କ୍ଷତିପୂରଣ । ଏହା ସହ ନିୟମିତ ସୈନିକଙ୍କ ପରି ଅଗ୍ନିବୀରଙ୍କୁ ମିଳିବ ସମାନ ଭତ୍ତା ମିଳିବ ବୋଲି ପ୍ରେସମିଟରେ କୁହାଯାଇଛି । ଏହା ପରେ ବି ବିଭିନ୍ନ ସ୍ଥାନରେ ଜାରି ରହିଛି ବିକ୍ଷୋଭ । ଏହି ପ୍ରସଙ୍ଗରେ ମିଥ୍ୟା ଖବର ପ୍ରସାରଣ କରୁଥିବା ଅଭିଯୋଗରେ ୩୫ଟି ହ୍ବାଟସଆପ୍ ଗ୍ରୃପ ଉପରେ କେନ୍ଦ୍ର ସରକାର ପ୍ରତିବନ୍ଧକ ଲଗାଇଛନ୍ତି । ନୂତନ ଯୋଜନା ବିଷୟରେ ଭୁଲ ତଥ୍ୟ ବିସ୍ତାର କରୁଥିବା ସମ୍ପୃକ୍ତ ଲୋକଙ୍କୁ ସରକାର ଟ୍ରାକିଂ କରୁଛନ୍ତି । ଅଗ୍ନିପଥ ଯୋଜନାରେ ସାମିଲ ହେବାକୁ ଥିବା ଯୁବକମାନଙ୍କୁ ବିଭ୍ରାନ୍ତ କରୁଥିବା ଅଭିଯୋଗରେ ୧୦ ଜଣଙ୍କୁ ଗିରଫ କରାଯାଇଛି।