ଭୁବନେଶ୍ବର ପ୍ରତିଷ୍ଠା ଦିବସ: ୭୬ ବର୍ଷରେ ପାଦ ଥାପିଲା ରାଜଧାନୀ

ଭୁବନେଶ୍ବର: ଆଜି ରାଜ୍ୟ ରାଜଧାନୀ ଭୁବନେଶ୍ବରର ୭୬ ତମ ପ୍ରତିଷ୍ଠା ଦିବସ। ୧୯୪୮ ମସିହା ଏପ୍ରିଲ ମାସ ୧୩ ତାରିଖରେ ଭୁବନେଶ୍ବରକୁ ମିଳିଥିଲା ରାଜଧାନୀର ସ୍ବୀକୃତି। ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଦ୍ବାରା ରାଜଧାନୀର ଶୁଭ ଦିଆଯାଇଥିଲା। ସମୟ ସହିତ ତାଳ ଦେଇ ଭୁବନେଶ୍ବରର ବୃଦ୍ଧି ପାଇଛି କଳେବର।

ବିକାଶ ଧାରାରେ ସାମିଲ ହୋଇ ଦେଶର ୧ ନମ୍ବର ସ୍ମାର୍ଟସିଟିର ମଧ୍ୟ ମାନ୍ୟତା ହାସଲ କରିଛି ରାଜଧାନୀ ଭୁବନେଶ୍ବର। ଚାଲିଚଳନରେ ପରିବର୍ତ୍ତନ ସହ ଜନସଂଖ୍ୟା ୧୫ ହଜାରରୁ ୧୫ ଲକ୍ଷରେ ପହଞ୍ଚିଛି। ଶିକ୍ଷା, ସ୍ବାସ୍ଥ୍ୟ, କ୍ରୀଡା, ସବୁ କ୍ଷେତ୍ରରେ ଜାରି ରହିଛି ବିକାଶ। ଦେଶର ନମ୍ବର ଓ୍ବାନ୍ ସ୍ମାର୍ଟସିଟିର ମାନ୍ୟତା ହାସଲ କରିସାରିଛି ଭୁବନେଶ୍ବର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନ ବିଭିନ୍ନ ପ୍ରକଳ୍ପ ଓ ଯୋଜନା ଜରିଆରେ ବଢିବାରେ ଲାଗିଛି ଭୁବନେଶ୍ବରର ବିକାଶ ।

ରାଜଧାନୀର ପ୍ରତିଷ୍ଠା ଉତ୍ସବ ପାଇଁ ବିଧାନସଭା ଆଗରେ ଥିବା ରାଜଧାନୀ ଶିଳାନ୍ୟାସ ଫଳକରେ ମାଲ୍ୟାର୍ପଣ ସହିତ ପତାକା ଉତ୍ତୋଳନ କରାଯାଇଛି । ଏହାପରେ ଅତିଥିଙ୍କ ଦ୍ଵାରା ଜୟଦେବ ଭବନରେ ଏକ ସ୍ଵତନ୍ତ୍ର ଫଟୋ ଚିତ୍ର ପ୍ରଦର୍ଶନୀର ଉଦଘାଟନ କରାଯାଇଛି।

ପ୍ରତିଷ୍ଠା ଦିବସ ଉପଲକ୍ଷେ ସଜେଇ ହୋଇଛି ରାଜଧାନୀ । ବିଧାନସଭା, ଲୋକସେବା ଭବନ, କମିଶନରେଟ୍ ପୋଲିସ ବିଲ୍ଡିଂ ସମେତ ରାସ୍ତାଘାଟ ରଙ୍ଗୀନ୍ ଆଲୋକମାଳାରେ ଝଲସୁଛି। ଏହି ଅବସରରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ସମେତ ପୋଲିସ କମିଶନର ସଂଜୀବ ପଣ୍ଡା, ଡିସିପି ପ୍ରତୀକ ସିଂ ଉପସ୍ଥିତ ଥିଲେ। ରାଜଧାନୀ ପ୍ରତିଷ୍ଠା ଦିବସର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍ବଚ୍ଛ, ସୁନ୍ଦର ଭୁବନେଶ୍ବର ନିଜ ଐତିହ୍ୟ ଓ ଗାରିମାକୁ ଅକ୍ଷୁର୍ଣ୍ଣ ରଖି ଲୋକଙ୍କ ସୁବିଧାକୁ ପ୍ରାଥମିକତା ଦେଇ ଭୁବନେଶ୍ବର ବିଭିନ୍ନ କ୍ଷେତ୍ରରେ ନୂଆ ଇତିହାସ ଲେଖିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ନଜର ପକାନ୍ତୁ