‘ଗ୍ରାହକଙ୍କୁ ଉଚିତ ମୂଲ୍ୟରେ ସାମଗ୍ରୀ ଦେବାକୁ ବ୍ୟବସାୟୀ ମହାସଂଘ ନେଲା ବଡ଼ ପଦକ୍ଷେପ’

ଭୁବନେଶ୍ବର : ସରକାରଙ୍କ ଉପରୁ ତୁଟିଲା ଭରସା । ଏବେ ଦରଦାମ ନିୟନ୍ତ୍ରଣ, ଚାଷୀଙ୍କ ଉତ୍ପାଦନ ବୃଦ୍ଧି ସହ ଗ୍ରାହକଙ୍କୁ ଉଚିତ ମୂଲ୍ୟରେ ସାମଗ୍ରୀ ଦେବାକୁ ବ୍ୟବସାୟୀ ମହାସଂଘ ହାତକୁ ନେଇଛି ବଡ଼ ପଦକ୍ଷେପ । ଏପ୍ରିଲ ପ୍ରଥମ ସପ୍ତାହରେ ଭୁବନେଶ୍ୱରରେ ହେବ ବିଶାଳ ବ୍ୟବସାୟୀ ସମାବେଶ। ରାଜ୍ୟ ବ୍ୟବସାୟୀ ମହାସଂଘର ରୌପ୍ୟ ଜୟନ୍ତୀ ପାଳନ ଅବସରରେ କରାଯିବ ଏହି ସମାବେଶ। ଏଥିରେ ସାରା ରାଜ୍ୟର ବହୁ ବ୍ୟବସାୟୀଙ୍କ ସମେତ ଚାଷୀ, ଚାଷୀ ନେତା, ସାଧାରଣ ଲୋକେ ମଧ୍ୟ ହେବେ ସାମିଲ। ଚାଷୀଙ୍କ ଉତ୍ପାଦିତ ଶସ୍ୟ ଲୋକଙ୍କ ପାଖରେ କିଭଳି ସିଧାସଳଖ ପହଂଚିବ ଓ ଚାଷୀଙ୍କୁ ଉଚିତ ମୂଲ୍ୟ ଦେବା ପାଇଁ ଉଦ୍ୟମ କରିଛି ସଂଘ । ଦରଦାମ ନିୟନ୍ତ୍ରଣକୁ ଆଣିବା ମଧ୍ୟ ଉଦେଶ୍ୟ ରହିଛି । ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ବଲାଙ୍ଗୀର, ଭବାନୀପାଟଣା, କେସିଙ୍ଗା, ବରଗଡ଼, ବରପାଲି ଓ ଢେଙ୍କାନାଳରେ ବ୍ୟବସାୟୀ ସଂଘ ସବୁ ବର୍ଗଙ୍କୁ ନେଇ ଆଲୋଚନା ହୋଇଛି। ଚାଷ ସାମଗ୍ରୀର ଅଭାବୀ ବିକ୍ରି କିଭଳି ନ ରହିବ ଓ ସାମଗ୍ରୀ ସଂରକ୍ଷଣ କରାଯିବ, ବାରମାସୀ ଚାଷ କିଭଳି ଅଧିକ ବଢ଼ିପାରିବ, ରାଜ୍ୟର ଉତ୍ପାଦିତ ସାମଗ୍ରୀ କିଭଳି ଗ୍ରାହକଙ୍କ ପାଖରେ କିଭଳି ସୁଲଭ ମୂଲ୍ୟରେ ପହଂଚିବ ସେ ନେଇ ଉଦ୍ୟମ ହେବ। ଏଥିରେ ସରକାରଙ୍କ ସହଯୋଗ ଦରକାର କିନ୍ତୁ ସରକାର ଆନ୍ତରିକତା ଦେଖାଉ ନାହାଁନ୍ତି। ସରକାର ସହଯୋଗ ପାଇଁ ଆଗଭର ହେଉ ନାହାନ୍ତି। ତେଣୁ ବ୍ୟବସାୟୀ ସଂଘ ନେବ ଏହି ଦାୟିତ୍ୱ ବୋଲି ସୂଚନା ଦେଲେ ରାଜ୍ୟ ବ୍ୟବସାୟୀ ମହାସଂଘ ମହାସଚିବ ସୁଧାକର ପଣ୍ଡା।