ରାଜଧାନୀରୁ ନିଖୋଜ, ନିଆଳିରୁ ମୃତଦେହ ଉଦ୍ଧାର

ଭୁବନେଶ୍ୱର : ରାଜଧାନୀରୁ ନିଖୋଜ, ନିଆଳିରୁ ମୃତଦେହ ଉଦ୍ଧାର। ପରିବାର ଆଣିଲେ ହତ୍ୟା ଅଭିଯୋଗ । ମୃତକ ଜଣଙ୍କ ହେଉଛନ୍ତି ବରମୁଣ୍ଡାର ନବଘନ ପାଟ୍ଟଶାଣୀ। ଗତ ୧୭ ତାରିଖରେ ସେ ବରମୁଣ୍ଡାରୁ ନିଜ କାର ଧରି ବାହାରିଥିଲେ। କିନ୍ତୁ ଆଉ ଘରକୁ ଫେରିନଥିଲେ । ପରିବାର ଲୋକେ ପ୍ରଥମେ ଖଣ୍ଡଗିରି ଥାନା ଓ ପରେ ଭରତପୁର ଥାନା ଯାଇ ମିସିଂ ଏଫଆଇଆର ଦେଇଥିଲେ।

ଦିନକ ପରେ ତାଙ୍କ ଗାଡି ଆଉ ଜଣେ ଚଲାଉଥିବା ସ୍ଥାନୀୟ ଲୋକେ ଜାଣିବା ପରେ ସୌଭାଗ୍ୟ ନଗର ଅଞ୍ଚଳରୁ ଗାଡିକୁ ଧରି ଭରତପୁର ପୋଲିସ ଜିମା ଦେଇଥିଲେ । ସେତବେଳେ ଗାଡି ବନ୍ଧକ ରଖି ନବଘନ କିଛି ଟଙ୍କା ଧାର ନେଇଥିବା ପୋଲିସ ଜାଣିବାକୁ ପାଇଥିଲା। ତାଙ୍କର ମୃତଦେହ ନିଆଳି ସ୍ଥିତ ଗୋବିନ୍ଦପୁର ଥାନା ଅଧିନ କନ୍ଦଳ ନଦୀର ଉରାଡ଼ ଠାରୁ ମିଳିଥିଲା। ମୁଣ୍ଡରେ ଓ ବେକରେ କ୍ଷତ ଚିହ୍ନ ଥିଲା। ପ୍ରବଳ ରକ୍ତସ୍ରବ ମଧ୍ୟ ହୋଇଥିଲା । ସେତବେଳେ ଗୋବିନ୍ଦପୁର ପୋଲିସ ତଦନ୍ତ କରି ମଧ୍ୟ ପରିଚୟ ନପାଇବାରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଷ୍ଟମର୍ଟମ କରିଥିଲା।

ଏପଟେ ପରିବାର ଲୋକେ ଅଧିକ ଖୋଜାଖୋଜି କରିବା ପରେ ସେହି ମୃତଦେହଟି ନବଘନଙ୍କର ବୋଲି ଜାଣିବାକୁ ପାଇଥିଲେ । ଆଙ୍ଗୁଠିରେ ପିନ୍ଧିଥିବା ଏକ ତମ୍ବା ମୁଦିକୁ ଦେଖି ସେ ମୃତଦେହ ଚିହ୍ନଟ କରିଥିଲେ। ଏବେ ତାଙ୍କୁ କେହି ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଟଙ୍କା କାରବାର କୁ ନେଇ ହତ୍ୟାକାଣ୍ଡ ହୋଇଥିବା ସୂଚନା ଦେଇଛନ୍ତି ପରିବାର ଲୋକେ ।