ଗଣଦୁଷ୍କର୍ମ ମାମଲା: ମହିଳା କମିଶନରଙ୍କ ଦ୍ୱାରସ୍ଥ ନାବାଳିକାଙ୍କ ମାଁ, ଅଭିଯୁକ୍ତକୁ ଗିରଫ ଦାବିରେ କଂଗ୍ରେସର ବିକ୍ଷୋଭ

SCPCR

ଭୁବନେଶ୍ୱର: ରାଜଧାନୀରେ ନାବାଳିକା ଗଣଦୁଷ୍କର୍ମ ମାମଲାରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନରେ ପହଞ୍ଚିଲେ ନାବାଳିକାଙ୍କ ଓକିଲ ଓ ତାଙ୍କ ମା’ । ସେମାନେ କମିଶନ ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନଙ୍କ ନିକଟରେ ନିଜର ପକ୍ଷ ରଖିବେ । ଗତ ଅଗଷ୍ଟ ୩୦ରେ ପୀଡିତାଙ୍କ ମା’ ଭୁବନେଶ୍ୱର ମହିଳା ଥାନାରେ ଗଣଦୁଷ୍କର୍ମ ନେଇ ଅଭିଯୋଗ କରିଥିଲେ । ଘଟଣାର ଗୁରୁତ୍ୱକୁ ଉପଲବ୍ଧି କରି କମିଶନରେଟ୍ ପୋଲିସ ତଦନ୍ତ ପାଇଁ ଏକ ୪ ଜଣିଆ ଟିମ୍ ଗଠନ କରିଛି । ଏହି ପ୍ରସଙ୍ଗରେ ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ନିକଟରେ ମଙ୍ଗଳବାର ପହଞ୍ଚିଛନ୍ତି ପୀଡିତାଙ୍କ ମା’ ଓ ତାଙ୍କ ଓକିଲ ।

ସେପଟେ ଏହି ଘଟଣାର ପ୍ରତିବାଦରେ ଯୁବ କଂଗ୍ରେସ ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛି ଯୁବ କଂଗ୍ରେସ । ଘଟଣାକୁ ଦିନ ପରେ ଦିନ ବିତିଯାଉଥିଲେ ମଧ୍ୟ ଏପର୍ଯ୍ୟନ୍ତ ସଂପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇନାହିଁ କାହିଁକି ବୋଲି ଯୁବ କଂଗ୍ରେସ ପ୍ରଶ୍ନ କରିଛି । ତୁରନ୍ତ ଗିରଫ ସହ ପୀଡ଼ିତାଙ୍କୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଯୁବ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି ।

ସେପଟେ ପୂର୍ବରୁ ଏହି ଘଟଣା ନେଇ ଡିସିପିଙ୍କୁ ମହିଳା କମିଶନଙ୍କ ପକ୍ଷରୁ ଚିଠି ଲେଖାଯାଇଛି । ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ ଓ ୧୫ ଦିନ ମଧ୍ୟରେ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ରିପୋର୍ଟ ଦେବାକୁ କୁହାଯାଇଛି । ସିଡବ୍ଲୁସି ଓ ଶିଶୁ ସୁରକ୍ଷା ଆୟୋଗକୁ ଏ ସମ୍ପର୍କରେ ମଧ୍ୟ ଅବଗତ କରାଯାଇଛି । ପୋକ୍ସୋ ଆକ୍ଟ ଲାଗିଥିବାରୁ ମାଜିଷ୍ଟ୍ରେଟଙ୍କ ସାମ୍ନାରେ ତାଙ୍କର ବୟାନ ମଧ୍ୟ ରେକର୍ଡ କରାଯାଇଛି । ଏଭଳି ଘୃଣ୍ୟ ଓ ନିନ୍ଦନୀୟ ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା କହିଛନ୍ତି ।

Leave a Reply