ପ୍ରେମ ସପ୍ତାହରେ ଜୀବନସାଥୀ ହେଲେ ୨୦ ଯୋଡ଼ା ବରକନ୍ୟା
1 min read![](https://nandighoshatv.com/wp-content/uploads/2025/02/ଜାତି-ଯୌତୁକ-ବିହୀନ-ଗଣ-ବିବାହ-PKG_MASS_MARRIAGE_BBSR-1024x576.jpg)
ଭୁବନେଶ୍ବର : ଜାତି, ଜାତକ ଓ ଯୌତୁକ ବିହୀନ ଗଣ ବିବାହ । ୨୦ ଯୋଡ଼ା ବରକୁ ୨୦ ଯୋଡ଼ା କନ୍ଯା । ବାଜିଲା ଡିଜେ, ନାଚିଲେ ବାରଯାତ୍ରୀ । ଫୁଲରେ ସଜେଇ ହୋଇ ଦାମୀ କାରରେ ଆସିଲେ ବର । କାହାର ପ୍ରେମକୁ ମିଳିଥିଲା ସ୍ୱୀକୃତି ତ ଆଉ କିଏ ଥିଲା ଅନାଥ । ପ୍ରେମ ଆଗରେ ପ୍ରତିବନ୍ଧକ ସାଜିଥିଲା ପରିବାର । କେଉଁଠି ଠିଆ ହୋଇଥିଲା ଜାତିର ପ୍ରାଚୀର । ପ୍ରେମ ସପ୍ତାହରେ ସାତ ଜନ୍ମର ସାଥୀ ହେଲେ ସଭିଏଁ । ଭୁବନେଶ୍ୱରରେ ରାମ ମନ୍ଦିର ପରିସରରେ ପ୍ରୟାସ ପକ୍ଷରୁ ୧୧ ତମ ସାମୁହିକ ବିବାହ ମହୋତ୍ସବ ଅନୁଷ୍ଠିତ ହୋଇଛି । ହିନ୍ଦୁ ରୀତିନୀତି ଅନୁସାରେ ୨୦ ଜଣ ବର-କନ୍ଯା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଶନିବାର ସନ୍ଧ୍ୟାରେରେ ମଙ୍ଗନ, ମେହେନ୍ଦୀ ଓ ସଙ୍ଗୀତ କାର୍ଯ୍ୟକ୍ରମ ହୋଇଥିଲା । ପୂର୍ବରୁ ଆଦେବନ କରିଥିବା ବରବଧୂ ସେମାନଙ୍କ ପରିବାରର ଉପସ୍ଥିତିରେ ବିବାହ କରିବା ସହ ଆଇନ ଅନୁଯାୟୀ ରେଜିଷ୍ଟ୍ରିଭୁକ୍ତ ହୋଇଛନ୍ତି ।
ସମାଜର ସବୁ ବର୍ଗ, ଗୋଷ୍ଠୀ, ଜାତି ତଥା ବିଧବା, ଅକର୍ମଣ୍ୟ, ଅବହେଳିତଙ୍କୁ ଏକାଠି କରି ସାମୁହିକ ବିବାହକୁ ଏକ ସାମାଜିକ ମହୋତ୍ସବର ମାନ୍ୟତା ଦେବାକୁ ପ୍ରୟାସ । ପରିବାରର ଅସହମତି, ଯୌତୁକ ଅସଙ୍ଗତି, ଅନାବଶ୍ୟକୀୟ ସାମାଜିକ ପ୍ରଥା, ବୈବାହିକ ଉତ୍ତରଦାୟିତ୍ଵ ସମ୍ପର୍କରେ ଅନଭିଜ୍ଞତା, ଝିଅମାନଙ୍କୁ ସାମଗ୍ରୀ କରିବାର ଅଭିପ୍ରାୟ ଓ ମନସ୍ତାତ୍ବିକ ତାଳମେଳର ଅଭାବ ଯୋଗୁଁ ଅନେକ ଝିଅଙ୍କ ବିବାହ ହୋଇପାରୁ ନାହିଁ । ବିବାହ ହେଲେ ବି ଚିରସ୍ଥାୟୀ ହୋଇପାରୁ ନାହିଁ । ତେଣୁ ସଚେତନ, ଯୌତୁକ ବିରୋଧରେ ସଚେତନତା ସୃଷ୍ଟି ଅଙ୍ଗିକାରବଦ୍ଧତାକୁ ଆପଣାଇ ଏକ ସୁସ୍ଥ, ଚିରସ୍ଥାୟୀ ବୈବାହିକ ଜୀବନର ଲକ୍ଷ୍ୟ ହିଁ ପ୍ରୟାସର ମୁଖ୍ୟ ଲକ୍ଷ୍ୟ । ଗତ ୧୧ ବର୍ଷ ମଧ୍ୟରେ ୨୭୫ ଟି ସାମୁହିକ ବିବାହ ସଫଳତାର ସହ ଆୟୋଜନ କରିଛି ପ୍ରୟାସ । ଆଗାମୀ ଦିନରେ ରାଜ୍ୟ ସରକାର ଗଣବିବାହକୁ ସ୍ୱୀକୃତି ପ୍ରଦାନ କରିବା ସହ ସରକାରୀ ସହାୟତା ଓ ସହଯୋଗ ଯୋଗାଇଦେବାକୁ ସଂସ୍ଥା ଅନୁରୋଧ କରିଥିଲା ।