ରାଜଧାନୀରେ କାୟା ମେଲାଇଲାଣି ଜଣ୍ଡିସ

ନନ୍ଦିଘୋଷ ବ୍ୟୁରୋ: ରାଜଧାନୀରେ କାୟା ମେଲାଇଲାଣି ଜଣ୍ଡିସ । ଖାସ୍ କରି ଶିକ୍ଷାନୁଷ୍ଠାନ ଗୁଡ଼ିକର ହଷ୍ଟେଲ ଏବଂ ଆପାର୍ଟମେଣ୍ଟରେ ଏହା ବ୍ୟାପିବାରେ ଲାଗୁଛି । ରାଜ୍ୟର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଓୟୁଏଟିରେ ଜଣ୍ଡିସ ବହୁ ମାତ୍ରାରେ ବ୍ୟାପିଛି । ହେଲେ ଏହାକୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଲୁଚାଉଥିବାରୁ ସ୍ବାସ୍ଥ୍ୟ ବିଭାଗ କଡ଼ା ତାଗିଦ କରିଛି । ସ୍ବାସ୍ଥ୍ୟ ବିଭାଗର ଟିମ୍ ଓୟୁଏଟିର କୋଣଅନୁକୋଣ ଯାଞ୍ଚ କରିଛନ୍ତି । ଖୁବ୍ ଶୀଘ୍ର ଓ୍ବାଟକୋ ଆସି ଏଠାରେ ପାଣି ନମୁନା ପରୀକ୍ଷା କରିବ । ଓୟୁଏଟି ହଷ୍ଟେଲ ଓ ଗାଡ଼କୋଣରୁ ଜଣ୍ଡିସ ଖବର ପାଇବା ପରେ ସିଟି ହେଲଥ ୟୁନିଟର ଟିମ ଘଟଣାସ୍ଥଳକୁ ଯାଇ ରୋଗୀଙ୍କ ସଂଖ୍ୟା ଅନୁଧ୍ୟାନ କରିଛନ୍ତି । ହେଲେ ଜଣ୍ଡିସ ବ୍ୟାପିବା ଦିନଠାରୁ ଓୟୁଏଟି ଏହାକୁ ଚପାଇବାକୁ ଚେଷ୍ଟା କରିଥିବାରୁ ଚିନ୍ତା ବଢିଯାଇଛି । ସେପଟେ ଓୟୁଏଟି କର୍ତ୍ତୃପକ୍ଷଙ୍କୁ କଡ଼ା ତାଗିଦ କଲେ ଭୁବନେଶ୍ବର ଏଡିୟୁପିଏଚଓ ଡାକ୍ତର ନୀଳମଣି ସେନାପତି । ଏତେ ଦିନରୁ ଲେଡିଜ୍ ହଷ୍ଟେଲରେ ଜଣ୍ଡିସ ବ୍ୟାପିଲାଣି । ହେଲେ ସ୍ବାସ୍ଥ୍ୟ ବିଭାଗକୁ ଖବର ଦେଇ ନଥିଲା ଓୟୁଏଟି । ଏହି ଘଟଣାକୁ ନ ଚପାଇବାକୁ ଏଡିୟୁପିଏଚଓ ପରାମର୍ଶ ଦେଇଛନ୍ତି । କାରଣ ଲୁଚାଇଲେ ଏହା ଆହୁରି ବ୍ୟାପିବ । ଘଟଣା ଜାଣିଲେ ଯାଇ ତା ନିରାକରଣ ହୋଇପାରିବ । ଏ ଯାଏଁ ଓୟୁଏଟିର ୧୨ ଜଣ ଛାତ୍ରୀଙ୍କୁ ଜଣ୍ଡିସ ହୋଇଥିବା ଖବର ମିଳିଛି । ହେଲେ ଓୟୁଏଟି ୪ ଜଣଙ୍କୁ ଜଣ୍ଡିସ ହୋଇଥିବା କହିବାରୁ ସ୍ବାସ୍ଥ୍ୟ ବିଭାଗ ଟିମ ସେଠାରେ ପହଂଚି ଯାଞ୍ଚ କରିଛନ୍ତି । ହଷ୍ଟେଲର ପ୍ରତି ରୁମ ଯାଞ୍ଚ ହେବା ସହ ଏପିଡେମୋଲୋଜିଷ୍ଟ ଓ ମାଇକ୍ରୋ ଵୟୋଲୋଜିଷ୍ଟଙ୍କ ସହଯୋଗ ନିଆଯାଉଛି । ଓୟୁଏଟି ପକ୍ଷରୁ ପାଣି ପରୀକ୍ଷା ପାଇଁ ୱାଟକୋକୁ ଚିଠି କରାଯିବ । ଏଡିୟୁପିଏଚଓ ମଧ୍ୟ ୱାଟକୋକୁ ଚିଠି କରିବେ ।