ମୁମ୍ବାଇଠାରୁ ଭଲ ସହର ଭୁବନେଶ୍ୱର: ଲାରା ଦତ୍ତ

1 min read

ଭୁବନେଶ୍ୱର: ଦେଶର ପ୍ରଥମ ମହିଳା ବ୍ୟବସାୟ ମେଳା ଉଦଘାଟିତ ହୋଇଛି । ଭୁବନେଶ୍ୱର ଜନତା ମଇଦାନରେ ମେଳାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ, ଇଣ୍ଡିଆନ ଚାମ୍ବର ଅଫ୍ କମର୍ସର ସଭାପତି ପ୍ରଦୀପ ସୁରେଖା, ଇଣ୍ଡିଆନ ଚାମ୍ବର ଅପ୍ କମର୍ସର ଅଧ୍ୟକ୍ଷ କେ.ବି ପାଣି, ଇଣ୍ଡିଆନ ଚାମ୍ବର ଅଫ କମର୍ସ ୱିମେନ୍ ଏଣ୍ଟରପ୍ରିନ୍ୟୁୟରସିପ୍‌ର ଉପ-ଉଦ୍ୟୋକ୍ତା ତନୟା ପଟ୍ଟନାୟକଙ୍କ ସହ ବଲିଉଡ୍‌ ଅଭିନେତ୍ରୀ ଲାରା ଦତ୍ତ ଉପସ୍ଥିତ ଥିଲେ । ପ୍ରାୟ ୧୫୦ରୁ ଅଧିକ ଷ୍ଟଲ ଦ୍ବାରା ସମନ୍ବିତ ଏହି ମେଳା କେବଳ ମହିଳା ବ୍ୟବସାୟୀଙ୍କ ଦ୍ବାରା ପରିଚାଳିତ ହେଉଛି । ଏହା ସହ ପ୍ରାୟ ୩୪ଟି ଖାଇବା ଷ୍ଟଲ, ପିଲାଙ୍କ ଖେଳ ସହ ସାଂସ୍କୃତିକ କାର୍ଯ୍ୟକ୍ରମ, ଫ୍ୟାସନ୍ ଶୋର ଆୟୋଜନ କରାଯାଇଛି । ପ୍ରତିଦିନ ବ୍ୟବସାୟ ଭିତିକ ସେମିନାର ମଧ୍ୟ ଆୟୋଜିତ ହେବ । ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଚାଲିବ ମେଳା ।

ତେବେ ଏହି ମେଳାରେ ଯୋଗ ଦେଇଥିବା ବଲିଉଡ୍ ଅଭିନେତ୍ରୀ ଲାରା ଦତ୍ତ ଭୁବନେଶ୍ୱର ସହରକୁ ଆସି ଖୁବ୍ ଖୁସିବ୍ୟକ୍ତ କରିଥିଲେ । ଭୁବନେଶ୍ୱର ମୋତେ ବହୁତ ଭଲ ଲାଗିଲା । ମୁଁ ବିମାନବନ୍ଦରରୁ ଓହ୍ଲାଇବା ପରେ ସହରକୁ ଦେଖି ଆଶ୍ଚର୍ଯ୍ୟ ହେଲି । ଏତେ ସୁନ୍ଦର ସହର, ସୁନ୍ଦର ରାସ୍ତା ଦେଖି ମୁଁ ମନ୍ତ୍ରମୁଗ୍ଧ । ବିମାନବନ୍ଦରରୁ ହୋଟେଲ ମାତ୍ର ୧୫ ମିନିଟ ଲାଗିଲା । ହୋଟେଲ ମଧ୍ୟ ବହୁତ ଭଲ ଥିଲା । ଭୁବନେଶ୍ୱର ସହର ମୁମ୍ବାଇଠାରୁ ଭଲ ଲାଗିଲା ବୋଲି କହିଛନ୍ତି ବଲିଉଡ ଅଭିନେତ୍ରୀ ଲାରା ଦତ୍ତ । ସବୁଠାରୁ ବଡ଼ କଥା ହେଉଛି ମହିଳା ଉଦ୍ୟୋଗୀମାନେ ଖୁବ୍ ସୁନ୍ଦର ଭାବରେ ଦେଶର ପ୍ରଥମ ମହିଳା ବିଜନେସ୍ ମେଳା ଆୟୋଜନ କରିବାରେ ସଫଳ ହୋଇଛନ୍ତି । ମୁଁ ସାରା ପୃଥିବୀ ବୁଲିଛି ହେଲେ ଏଭଳି ସଙ୍ଗଠିତ ଭାବେ କାର୍ଯ୍ୟକ୍ରମ କରାଯିବ କେବେ କେବେ ଦେଖିନାହିଁ । ଏଠି ପହଞ୍ଚିବା ପରେ ମୁଁ ଚକିତ ହୋଇଗଲି  । ତେବେ ମହିଳା ଉଦ୍ୟୋଗୀଙ୍କ ନିକଟରେ ପୁଞ୍ଜି, ଦକ୍ଷତା ଓ ପରିବାରର ସହଯୋଗ ରହିବା ଜରୁରୀ । ଏସବୁ ରହିଲେ ନୂଆ ମହିଳା ଉଦ୍ୟୋଗୀ ସୃଷ୍ଟି ହୋଇପାରିବ ବୋଲି ଲାରା ଦତ୍ତ କହିଥିଲେ ।