ସ୍ତ୍ରୀ କହିଲେ, ମୋତେ- ମୋ ପୁଅକୁ ମାରିବାକୁ ସ୍ୱାମୀ ଦେଇଥିଲେ ସୁପାରୀ

ଭୁବନେଶ୍ବର: ରାଜଧାନୀର ଚର୍ଚ୍ଚିତ ସ୍ତ୍ରୀ ସିଲସିଲା ଓ ସ୍ବାମୀ ବିନାୟକ ବେହେରା ପାରିବାରିକ ବିବାଦ ମାମଲା । ଘଟଣାର ୪ମାସ ପରେ ଟୁଇଷ୍ଟ । ଏଥର ସ୍ବାମୀ ନୁହଁନ୍ତି, ଥାନାରେ ଫେରାଦ ହୋଇଛନ୍ତି ସ୍ତ୍ରୀ ସିଲସିଲା ଓ ପୁଅ । ସ୍ବାମୀଙ୍କ ବିରୋଧରେ ଆଣିଛନ୍ତି ସାଂଘାତିକ ଅଭିଯୋଗ । ସ୍ତ୍ରୀ ଓ ପୁଅକୁ ହତ୍ୟା ପାଇଁ ସୁପାରୀ ଦେଇଥିଲେ ସ୍ବାମୀ ବିନାୟକ । କାରରେ ଘରକୁ ଫେରୁଥିବା ବେଳେ ଉଭୟଙ୍କୁ ଅତର୍କିତ ଆକ୍ରମଣ କଲେ ଦୁର୍ବୁତ୍ତ ।

ଲୁହା ପାଇପ ଏବଂ ହେଲମେଟରେ ପ୍ରବଳ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ସ୍ବାମୀଙ୍କ ନାଁରେ ବଡ଼ଗଡ଼ ଥାନାରେ ଏତଲା ଦେଇଛନ୍ତି ସିଲସିଲା ବେହେରା । ତିନି ଜଣ ଦୁର୍ବୃତ୍ତ ତାଙ୍କ ଗାଡ଼ି ଅଟକାଇ ଅସଭ୍ୟ ଭାଷାରେ ଗାଳି ଗୁଲଜ ସହିତ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ଲୋକ ରୁଣ୍ଡ ହୋଇଯିବାରୁ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି । ଗତ ଏପ୍ରିଲ ମାସରେ ପତ୍ନୀ ସିଲସିଲା ତାଙ୍କ ଡ୍ରାଇଭରଙ୍କ ସହିତ ସମ୍ପର୍କ ରଖିଥିବା ଅଭିଯୋଗ ଆଣିଥିଲେ ଇଞ୍ଜିନିୟର ସ୍ବାମୀ ବିନାୟକ ।

ପରକୀୟା ପାଇଁ ସିଲସିଲା ଡ୍ରାଇଭର୍ ସହିତ ମିଶି ତାଙ୍କୁ ମାରିବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିଥିଲେ ସ୍ବାମୀ । ପରେ ସାମ୍ନାକୁ ଆସି ସ୍ବାମୀଙ୍କୁ ଜବାବ ଦେଇଥିଲେ ସିଲସିଲା । ୧୯ବର୍ଷ ଧରି ଉଭୟଙ୍କ ମଧ୍ୟରେ ସମ୍ପର୍କ ଭଲ ନଥିବା ସେ କହିଥିଲେ । ଏପରିକି ଗଲା ୩ବର୍ଷ ଧରି ସେମାନେ ଅଲଗା ଅଲଗା ରହୁଥିବା ସ୍ବୀକାର କରିଥିଲେ ।