ଭୁବନେଶ୍ବର ହିଟ୍ ଆଣ୍ଡ ରନ୍ ମାମଲା: କ୍ଷତିପୂରଣ ଦାବିରେ ମହିଳାଙ୍କ ଶବ ରଖି ରାସ୍ତାରୋକ

1 min read

ନନ୍ଦିଘୋଷ ବ୍ୟୁରୋ: ଭୁବନେଶ୍ବର ହିଟ୍ ଆଣ୍ଡ ରନ୍ ମାମଲାରେ ଆଜି ଆହତ ମହିଳାଙ୍କ ମୃତ୍ୟୁ ଘଟିଛି । ଘଟଣା ଦିନ ୮ ବର୍ଷର ଝିଅର ମୃତ୍ୟୁ ଘଟିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଆଜି ମାଆଙ୍କ ମୃତ୍ୟୁ ଘଟିଛି । ଯାହାକୁ ନେଇ ପାତ୍ରପଡ଼ା ଅଞ୍ଚଳରେ ପୁଣି ଉତ୍ତେଜନା ପ୍ରକାଶ ପାଇଛି । ମହିଳାଙ୍କ ଶବ ରଖି ଉତ୍ତ୍ୟକ୍ତ ଲୋକେ ପାତ୍ରପଡ଼ା ଭି-ଟୁ ସମ୍ମୁଖ ରାସ୍ତା ଅବରୋଧ କରିଥିଲେ । ଘଟଣା ସ୍ଥଳରେ ଭୁବନେଶ୍ବର ଡିସିପି ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ପରେ ରାସ୍ତାରୋକ ହଟିଛି ।

ସୂଚନାଯୋଗ୍ୟ, ରାକ୍ଷୀ ପୂର୍ଣ୍ଣିମା ଦିନ ପାତ୍ରପଡ଼ା ଠାରେ ଏକ ଥାର କାର୍ ମହିଳା, ତାଙ୍କ ଝିଅ ଓ ପୁଅକୁ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ଥାର ଡ୍ରାଇଭର ରହିବା ପରିବର୍ତ୍ତେ ଦ୍ରୁତ ଗତିରେ ଗାଡି ଚଲାଇ ପଳାଇଥିଲେ । ଫଳରେ ୮ ବର୍ଷର ଝିଅଟି ଘୋଷାଡ଼ି ହୋଇ ଘଟଣା ସ୍ଥଳରେ ମୃତ୍ୟୁବରଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କ ମାଆ ଓ ଭାଇଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଆଜି ଚିକିତ୍ସାଧୀନ ଅବସ୍ଥାରେ ମାଆଙ୍କ ମୃତ୍ୟୁ ଘଟିଛି ।

ଘଟଣା ଘଟିବା ପରେ ପାତ୍ରପଡ଼ା ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିବା ସହ ଅଭିଯୁକ୍ତଙ୍କୁ ଧରିବା, ଗାଡି ଜବତ କରିବା ଓ କ୍ଷତିପୂରଣ ଦେବା ଦାବିରେ ରାସ୍ତାରୋକ କରିଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବୁଝାଶୁଝା କରିବା ପରେ ରାସ୍ତାରୋକ ହଟିଥିଲା ।

ତେବେ ଆଜି ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ପରେ ପୁଣି ଉତ୍ତେଜନା ପ୍ରକାଶ ପାଇଥିଲା । ମେଡିକାଲରୁ ମହିଳାଙ୍କ ମୃତଦେହ ପାତ୍ରପଡ଼ାରେ ପହଞ୍ଚିବା ପରେ ଉତ୍ତେଜନା ଆହୁରି ତୀବ୍ର ହୋଇଥିଲା । ଶତାଧିକ ଲୋକ ପାତ୍ରପଡ଼ା ଭି-ଟଚ ସମ୍ମୁଖ ରାସ୍ତାରେ ଏକାଠି ହେବା ସହ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଓ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ଦାବିରେ ରାସ୍ତାରୋକ କରିଥିଲେ ।

ସେପଟେ ଦୁର୍ଘଟଣା ପରେ ଗାଡି ଧରି ଫେରାର ହୋଇଯାଇଥିଲା ଗାଡି ମାଲିକ । ପୋଲିସ ଦୁର୍ଘଟଣା ଘଟାଇ ଥିବା ଥାରଟିକୁ ଜବତ କରିଛି । ହେଲେ ଏପର୍ଯ୍ୟନ୍ତ ଅଭିଯୁକ୍ତକୁ ଗିରଫ କରିବାକୁ ପୋଲି ସକ୍ଷମ ହୋଇନି ।