କ୍ରୀଡ଼ା ଜଗତରେ ଦୃଷ୍ଟି ଆକର୍ଷଣ କରୁଛି ଓଡ଼ିଶା: କଳିଙ୍ଗର ଇନଡୋର ଆଥଲେଟିକ ଷ୍ଟାଡିୟମକୁ ନେଇ ଚର୍ଚ୍ଚା

1 min read

ଭୁବନେଶ୍ୱର : କ୍ରୀଡ଼ା ଜଗତରେ ଜଗତର ଦୃଷ୍ଟି ଆକର୍ଷଣ କରୁଛି ଓଡ଼ିଶା । ହକି ପରେ ଏବେ ଓଡ଼ିଶାର ଇନଡୋର ଆଥଲେଟିକ ଷ୍ଟାଡିୟମକୁ ନେଇ ବିଶ୍ବରେ ଚର୍ଚ୍ଚା । ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ନିର୍ମିତ ହୋଇଛି ଭାରତ ତଥା ଦକ୍ଷିଣ ଏସିଆର ପ୍ରଥମ ଇନଡୋର ଆଥଲେଟିକ ଷ୍ଟାଡିୟମ । ପ୍ରଥମେ ସୋସିଆଲ ମିଡିଆରେ ଏହାର ଫଟୋକୁ ସେୟାର କରିଥିଲେ ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ ।

୨୦୩୬ ଅଲିମ୍ପିକ୍ସ ପାଇଁ ଓଡ଼ିଶା ପ୍ରସ୍ତୁତ ବୋଲି ଫାଇଭ-ଟି ସଚିବ କହିଥିଲେ । ଇନଡୋର ଆଥଲେଟିକ ଷ୍ଟାଡିୟମ ନିର୍ମାଣ କରିବାରେ ଓଡ଼ିଶା କେବଳ ଦେଶରେ ନୁହେଁ ସାରା ଦକ୍ଷିଣ ଏସିଆରେ ପ୍ରଥମ । ଯାହାକି ଆଥଲେଟିକ ଖେଳର ବିକାଶକୁ ଆହୁରି ଗତିଶୀଳ କରାଇବ । ଏଥିରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଆଥଲେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ଖେଳାଳିମାନେ ବର୍ଷ ତମାମ ଅଭ୍ୟାସ କରିବେ । ଏହି ଆଥଲେଟିକ ଇନଡୋର ଷ୍ଟାଡିୟମକୁ ଓଡ଼ିଶାର ଜାଭେଲିନ ହିରୋ ତଥା ସିଲଭର ବୟ କିଶୋର ଜେନାଙ୍କୁ ବୁଲାଇ ଦେଖାଇଛନ୍ତି କ୍ରୀଡ଼ା ସଚିବ ଭିନିଲ କ୍ରୀଷ୍ଣା ।

କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶା ବିଶ୍ବର ଦୃଷ୍ଟି ଆକର୍ଷଣ କରିଛି । ରାଉରକେଲାରେ ବିଶ୍ବର ସର୍ବବୃହତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ନିର୍ମାଣ ହୋଇଛି । କଳିଙ୍ଗ ଷ୍ଟାଡିୟମରେ ଅନ୍ତର୍ଜାତୀୟସ୍ତରର ଭିତ୍ତିଭୂମି ପ୍ରସ୍ତୁତ କରାଯାଇଛି । ଅତ୍ୟାଧୁନିକ ଜିମ୍ନାଷ୍ଟିକ ହଲ୍, ହାଇପରଫରର୍ମାନ୍ସ ସେଣ୍ଟର, ସ୍ପୋର୍ଟ୍ସ କ୍ଲାଇମିଂ ଓ୍ବାଲ୍, ବ୍ୟାଣ୍ଡମିଣ୍ଟନ ଓ ହକି ଉତ୍କର୍ଷ କେନ୍ଦ୍ର, ଫିପା ମାନର ଫୁଟବଲ ଷ୍ଟାଡିୟମ, ସିନ୍ଥେଟିକ ଟ୍ରାକ୍, ବିଜୁ ପଟ୍ଟନାୟକ ଭାରାତ୍ତୋଳନ କେନ୍ଦ୍ର ଓ ସନ୍ତରଣାଗାର ଆଦି କ୍ରୀଡ଼ କ୍ଷେତ୍ରକୁ ସମୃଦ୍ଧ କରିବା ସହ ବିଶ୍ବର ଦୃଷ୍ଟି ଆକର୍ଷଣ କରିଛି । ବିଭିନ୍ନ ଆନ୍ତର୍ଜାତୀୟ ଓ ବିଶ୍ବସ୍ତରୀୟ ପ୍ରତିଯୋଗିତା ଆୟୋଜନ କରି ଓଡ଼ିଶା ନିଜର ଦକ୍ଷତା ମଧ୍ୟ ପ୍ରତିପାଦିତ କରିସାରିଛି ।