ରାଜଧାନୀରେ ମାତିଛନ୍ତି ନିଶାଦିଆ ଲୁଟେରା

ଭୁବନେଶ୍ବର:  ରାସ୍ତା ଉପରେ ମିଶନ, ଅଟୋରେ ଅପରେସନ୍ । ସଜା ଭୋଗିବା ପରେ ମଧ୍ୟ ଚେତିନାହିଁ ବୁଦ୍ଧିଆ । ପାରାଲିସିସ ଟାବଲେଟ ଦେଇ ଘାଇଲା କଲେ ଲୁଟେରା । ଜଣଙ୍କ ନାଁ ବୁଦ୍ଧିରାମ ସ୍ୱାଇଁ ଓରଫ ବୁଦ୍ଧିଆ ଓ ଅନ୍ୟ ଜଣଙ୍କ ନାଁ ଗୁଡୁ ନାୟକ ଓରଫ ମୁନା । କାମ, ଅଟୋରେ ଲିଫ୍ଟ ଦେବା ନାଁ ରେ ନିଶା ଦେଇ ଲୁଟିବା । ସବୁଦିନ ଭଳି ଦୁହେଁ ଆଚାର୍ଯ୍ୟବିହାର ଛକରେ ଜାଲ ବିଛାଇଥିବା ବେଳେ ଫଶିଯାଇଥିଲେ ଆଠଗଡ଼ ତିଗିରିଆ ଅଞ୍ଚଳର ନରେଶ ସ୍ୱାଇଁ । ଗତ ୨୧ ତାରିଖ ଦିନ ପାୟ ୧୦ ଟା ବେଳେ ପନିପରିବା ବିକ୍ରି କରି ଫେରିବା ବେଳେ ଦୁଇ ଲୁଟେରା ତାଙ୍କୁ ଅଟୋରେ କଟକ ପର୍ଯ୍ୟନ୍ତ ଯିବାକୁ କହିଥିଲେ । ବ୍ୟବହାର ଏତେ ମାର୍ଜିତ ଥିଲା ଯେ, ସନ୍ଦେହ କରିନଥିଲେ ନରେଶ । ଆଉ ଏହି ସରଳପଣିଆ ପାଇଁ ସେ ଫସି ଯାଇଥିଲେ । ଲୁଟେରା ବାଟରେ ମୃଦ୍ୟୁ ପାନୀୟରେ ନିଶା ଟାଵଲେଟ ମିଶାଇ ନରେଶଙ୍କ ଠାରୁ ଲୁଟିନେଇଥିଲେ ୪୨ ହଜାର ଟଙ୍କା ଓ ମୋବାଇଲ ।

ସହିନଗର ଥାନାରେ ନିଖୋଜ ନେଇ ମାମଲା ହେବା ପରେ ଏହାକୁ ଗୁରୁତର ଭାବେ ନେଇଥିଲେ ଆଇଆଇସି । ତଦନ୍ତକୁ ବ୍ୟାପକ କରିବା ବେଳେ ନରେଶ ଚେତା ଶୂନ୍ୟ ଅବସ୍ଥାରେ ଜଗତପୁର ମାର୍କେଟ ନିକଟରୁ ଉଦ୍ଧାର ହୋଇଥିଲେ ଓ ତାଙ୍କ ଫୋନ ମହାନଦୀ କୂଳରେ ପଡିଥିଲା । ଆଇଆଇସି ପାରିପାର୍ଶ୍ବିକ ପରିସ୍ଥିତି, ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଓ ଲୋକେସନକୁ ଟ୍ରେସ କରି ପେଶାଦାର ଲୁଟେରା ବୁଦ୍ଧିଆ ଓ ମୁନାଙ୍କୁ ଗିରଫ କରିଥିଲେ । ବୁଦ୍ଧିଆ ନାଁରେ ପୂର୍ବରୁ ଏଭିଭଳି ୧୨ ଟି ମାମଲା ରହିଛି । ଏପରିକି ନିଶା ଦେଇ ଲୁଟରେ ସଜା ମଧ୍ୟ ହୋଇଛି । ସେପଟେ ବାଲେଶ୍ଵରରୁ କିଭଳି ଭାବେ ବିନା ପ୍ରେସକ୍ରିପ୍ସନରେ ରେ ନିଶାଦ୍ରବ୍ୟ ଆସୁଛି, ସେ ନେଇ ଖୋଳତାଡ଼ ଚଳାଇଛି ପୋଲିସ ।