ରାଜଧାନୀରେ ମିଳିବ ମିନି ଜୁରାସିକ୍ ପାର୍କର ମଜା, ଦେଖିବାକୁ ମିଳିବ ଭଳକି ଭଳି ଡାଇନୋସର କଳାକୃତି

1 min read

ଭୁବନେଶ୍ବର : ରାଜଧାନୀରେ ମିନି ଜୁରାସିକ୍ ପାର୍କର ମଜା । ଭଳିକି ଭଳି ଡାଇନୋସର କଳାକୃତି ଦେଖିବା ସହ ସାଉଁଣ୍ଟିବେ ଘଞ୍ଚ ଜଙ୍ଗଲରେ ବୁଲିବାର ଅନୁଭୂତି  । ତା ସହ ହାତୀ, ବାଘ, ସିଂହ, ଗରିଲା ଓ ବଣମଣିଷର ଦେଖିବାକୁ ମିଳିବ ନିଖୁଣ ମୂର୍ତ୍ତି ।  ଭିତରକୁ ପଶିଗଲେ ହଲିଉଡ ଚଳଚ୍ଚିତ୍ର ଜୁରାସିକ୍ ପାର୍କର ଭ୍ରମ ସୃଷ୍ଟି । କିଛି କ୍ଷଣ ଦେଖିଲେ ଲାଗିବ, ଡାଇନୋସର ଯୁଗକୁ ଚାଲିଗଲା ଭଳି  । ହେଲେ ଏହା କୌଣସି ହଲିଉଡ ଚଳଚ୍ଚିତ୍ର କିମ୍ବା ସତସତିକା ଜଙ୍ଗଲ ନୁହେଁ, ଭୁବନେଶ୍ଵରର ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରର ଦୃଶ୍ୟ । ଯେଉଁଠି ଏବେ ନିର୍ମାଣ ଚାଲିଛି ଏକ ଜୀବନ୍ତ ଡାଇନୋସର ପାର୍କ। ଟ୍ଯାଗ ଲାଇନ ରହିଛି  ଇନ ଦ ପ୍ରି-ହିଷ୍ଟୋରିକ କିଙ୍ଗଡମ । ଏହି ପାର୍କରେ ସ୍ବୟଂଚାଳିତ ଡାଇନୋସରଙ୍କୁ ଦେଖିବାକୁ ମିଳିବ। ଏଥିପାଇଁ ଜୋରସୋରରେ କାମ ଚାଲିଛି। ସନ୍ଧ୍ଯା ହେଲେ ଶୁଣିବାକୁ ମିଳିବ ଗର୍ଜନ । ରଙ୍ଗ ବେରଙ୍ଗର ଆଲୋକ ସାଙ୍ଗକୁ ଗୁମ୍ଫା ବି ଦେଖିବାକୁ ମିଳିବ। ଏହା ସହିତ ଜଙ୍ଗଲ ଭିତରେ ସିମେଣ୍ଟରେ ତିଆରି ହୋଇଛି ଝରଣା । ଜଙ୍ଗଲୀଜନ୍ତୁ ଓ ପକ୍ଷୀର ଶଦ୍ଧ ସାଙ୍ଗକୁ ଝରଣାର କୁଳୁ କୁଳୁ ନାଦ। ଯିଏ ବି ଥରେ ପଶିବ, ସେଠାରୁ ବାହାରିବାକୁ ମନେ କରିବ ନାହିଁ । ୯୦ ପ୍ରତିଶତ କାମ ସରିଥିବା ବେଳେ ଖୁବଶୀଘ୍ର ଲୋର୍କାପିତ ହେବ ବୋଲି ପ୍ରଜେକ୍ଟ କୋର୍ଡିନେଟର କହିଛନ୍ତି।

ଆଚାର୍ଯ୍ଯ ବିହାର ସାଇନ୍ସ ପାର୍କ ଭିତରେ  ଥିବା ପ୍ରାୟ ଅଢେଇ ଏକର  ଜାଗାରେ ନିର୍ମିତ ହୋଇଛି।  ପୂର୍ବରୁ ମଧ୍ୟ ଏହି ପ୍ରି- ହିଷ୍ଟୋରିକ୍ ପାର୍କ ଏଠାରେ ଥିଲା । ଏହି ପାର୍କରେ ବିଲୁପ୍ତପ୍ରାୟ ଡାଇନୋସର, ସେମାନେ କରୁଥିବା ଗର୍ଜନ,ଅଙ୍ଗଭଙ୍ଗୀ ସମେତ ଆଦିମ ମଣିଷର କାହାଣୀ ପ୍ରଦର୍ଶିତ ହେଉଥିଲା। ଡାଇନୋସରଙ୍କ ସହ ଏହି ପାର୍କରେ ପୃଥିବିରେ ଜୀବନର କ୍ରମ ବିବର୍ତ୍ତନର କାହାଣୀକୁ ଅଡିଓ ଭାବେ ପ୍ରଦର୍ଶିକ କରାଯାଇଥିଲା  । କିନ୍ତୁ ଫନି ବାତ୍ୟା ଏହାକୁ ଉଜାଡ଼ି ଦେଇଥିଲା । ଏବେ ପାର୍କର ପୁନରୁଦ୍ଧାର ପରେ ଦୀର୍ଘ ୬ବର୍ଷ ପରେ ଏହି ଡାଇନୋସର ପାର୍କ ଖୋଲିବାକୁ ଯାଉଛି। ବର୍ତ୍ତମାନ ଏହି ପାର୍କ ନୂଆ ରୂପ ମଧ୍ୟ ନେଉଛି। ଡାଇନୋସରଙ୍କ ସହ ଅନ୍ୟ ପ୍ରାଣୀଙ୍କ ପ୍ରତିକୃତି ଏଠାରେ ଖଞ୍ଜା ଯାଇଥିବା ବେଳେ ଚାରିପାଖେ ପାଚେରୀ ବୁଲାଯାଇଛି ଓ ରଙ୍ଗ କାମ ଚାଲିଛି। ଏବେ ଏହାର ନାଁ ରଖାଯାଇଛି ‘ଡାଇନୋସର ଜୀବନ୍ତ, ପ୍ରାକ ଐତିହାସିକ ସାମ୍ରାଜ୍ୟ’। ଆସନ୍ତା ଫେବୃୟାରୀ ମାସରେ ଏହି ଜୀବନ୍ତ ଡାଇନାସର ପାର୍କଟି ଉଦଘାଟନ ହେବାର କାର୍ଯ୍ୟକ୍ରମ ରହିଛି ବୋଲି ଅଞ୍ଚଳିକ ବିଜ୍ଞାନ କେନ୍ଦ୍ରର ପକ୍ଷରୁ ସୂଚନା ଦିଆଯାଇଛି