RBI ନେଲାନି ଚିରାଫଟା ନୋଟ, ଅଫିସ୍ ଆଗରେ ଉଡ଼ାଇଲେ ଲୋକେ

ଭୁବନେଶ୍ବର: ଆରବିଆଇ ଅଫିସ ଆଗରେ ଉଡ଼ିଲା ଟଙ୍କା । ଭୁବନେଶ୍ୱର ସ୍ଥିତ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆକୁ ଟଙ୍କା ବଦଳ ପାଇଁ ଆସିଥିବା କିଛି ଗ୍ରାହକ ଫାଟକ ଆଗରେ ନୋଟ୍ ଉଡ଼ାଉଥିବା ଦେଖିବାକୁ ମିଳିଥିଲା । ତେବେ ସେ ନୋଟ୍ ଗୁଡ଼ିକ ଚିରାଫଟା ନୋଟ୍ ବୋଲି ଜଣାପଡିଛି ।

ଅଭିଯୋଗ ଅନୁସାରେ, ଚିରାଫଟା ଟଙ୍କାକୁ ବଦଳାଇବାକୁ କିଛି ଗ୍ରାହକ ଆରବିଆଇ ଅଫିସକୁ ଆସିଥିଲେ । ହେଲେ ବ୍ୟାଙ୍କ କର୍ତ୍ତୃପକ୍ଷ ଉକ୍ତ ଟଙ୍କା ଗ୍ରହଣ ନକରିବାରୁ ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଖାରବେଳ ନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗ୍ରାହକଙ୍କୁ ବୁଝାସୁଝା କରିଥିଲା ।

ସୂଚନାଯୋଗ୍ୟ, ଚିରା ଫଟା ନୋଟ ବଦଳାଇବା ନେଇ ଆରବିଆଇରେ ବ୍ୟବସ୍ଥା ରହିଛି । ହେଲେ ବ୍ୟାଙ୍କ କର୍ତ୍ତୃପକ୍ଷ କାହିଁକି ଗ୍ରାହକଙ୍କୁ ପାଖରୁ ଚିରା ନୋଟ ନେବାକୁ ମନା କଲେ ତାକୁ ନେଇ ପ୍ରଶ୍ନ ଉଠିଛି ।

ଦିନେଶ କୁମାର ସାହୁଙ୍କ ଅଭିଯୋଗ ଅନୁଯାୟୀ, ସେ ଓ କିଛି ଗ୍ରାହକ ଆଜି ବ୍ୟାଙ୍କକୁ ନିଜ ପାଖରେ ଥିବା ଚିରାଫଟା ନୋଟ ବଦଳାଇବାକୁ ଆସି ଲାଇନ୍‌ରେ ଛିଡ଼ା ହୋଇଥିଲେ । ମାତ୍ର ବ୍ୟାଙ୍କ କର୍ତ୍ତୃପକ୍ଷ ନୋଟ୍‌କୁ ଗ୍ରହଣ କରିବାକୁ ମନା କରି ଦେଇଥିଲେ । ଯାହାକୁ ନେଇ ଅସନ୍ତୋଷ ଦେଖା ଦେଇଥିଲା ।

ଘଟଣା ସମ୍ପର୍କରେ ପଚାରିବାରୁ ଆରବିଆଇ କର୍ତ୍ତୃପକ୍ଷ କହିଛନ୍ତି, ୩ ତାରିଖରୁ ପୁରୁଣା ନୋଟ୍‌ ବଦଳ କାଉଣ୍ଟର ବନ୍ଦ ରହିଛି । ଏନେଇ ଲିଖିତ ଭାବେ କିଛି ବାହାରିନି କି ଗଣମାଧ୍ୟମରେ ଏ ସଂକ୍ରାନ୍ତିୟ ଖବର ପ୍ରକାଶିତ ହୋଇନି । ତେଣୁ ପ୍ରତିଦିନ ୨ ଶହରୁ ୩ ଶହ ଲୋକ ରିଜର୍ଭ ବ୍ୟାଙ୍କ ସମ୍ମୁଖରେ ଘଣ୍ଟା ଘଣ୍ଟା ଛିଡ଼ା ହୋଇ ଫେରୁଛନ୍ତି ।