ବରମୁଣ୍ଡା ବିଲ୍ଡର ଅଫିସରେ ସ୍ତ୍ରୀକୁ ଛୁରାମାଡ଼ ଘଟଣା, ଅଭିଯୁକ୍ତ ସ୍ବାମୀକୁ ଗିରଫ କଲା ପୋଲିସ

ଭୁବନେଶ୍ବର: ବରମୁଣ୍ଡା ବିଲ୍ଡର ଅଫିସରେ ସ୍ତ୍ରୀ ଉପରେ ସ୍ବାମୀର ଛୁରା ମାଡ଼ ଘଟଣାରେ କାର୍ଯ୍ୟାନୁଷ୍ଠାନ । ଗିରଫ ହେଲେ ସ୍ବାମୀ ସପନ କୁମାର । ସୋମବାର ସ୍ତ୍ରୀଙ୍କୁ ଛୁରୀରେ ଆକ୍ରମଣ କରି ଲହୁଲୁହାଣ କରିଥିଲା ଅଭିଯୁକ୍ତ । ସାର୍ଟ ଭିତରେ ଲୁଚାଇ ଧାରୁଆ ଛୁରୀ ଆଣିଥିଲା ଅଭିଯୁକ୍ତ । ସିସିଟିଭିରେ କଏଦ ହୋଇଥିଲା ଘଟଣା ବେଳର ଚିତ୍ର । ସେପଟେ ପଚରା ଉଚରା ପରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଭରତପୁର ପୋଲିସ ହାତରେ ଲାଗିଛି । ସପନର ଘର ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳରେ । ୫ ବର୍ଷ ତଳେ ସେ ମଧୁସ୍ମିତା ଦାସଙ୍କୁ ବିବାହ କରିଥିଲେ । ବିବାହ ପରେ ତୃତୀୟ ପୁରୁଷ ବା ପରକୀୟା ପ୍ରୀତିକୁ ନେଇ ସ୍ତ୍ରୀ ମଧୁସ୍ମିତାଙ୍କୁ ସନ୍ଦେହ କରୁଥିଲେ ସପନ । ଯାହାକୁ ନେଇ ପରିବାର ଭିତରେ ବାଦ ବିବାଦ ଲାଗି ରହିଥିଲା । ଦୁହିଁଙ୍କର ୨ ବର୍ଷର ଶିଶୁଟିଏ ରହିଛି । କିନ୍ତୁ ପାରିବାରିକ କନ୍ଦଳକୁ କେନ୍ଦ୍ର କରି ସ୍ତ୍ରୀ ମଧୁସ୍ମିତା, ସପନଙ୍କ ବିରୋଧରେ ସୋର ଥାନାରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ । ଯେଉଁ ମାମଲା ବର୍ତ୍ତମାନ ସୁଧା ତଦନ୍ତ ପରିସରଭୁକ୍ତ ହୋଇ ରହିଛି । ଦୁହେଁ ଭୁବନେଶ୍ବରରେ ଅଲଗା ଅଲଗା ରହୁଥିଲେ । ଗତକାଲି ମଧୁସ୍ମିତା କାମ କରୁଥିବା ବିଲ୍ଡର ଅଫିସରେ ପହଞ୍ଚି ଛୁରାମାଡ଼ କରିଥିଲେ ସ୍ବାମୀ ସପନ । ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଚିକିତ୍ସା ପାଇଁ ପଠାଇଥିବା ବେଳେ ଅଭିଯୁକ୍ତକୁ ଗିରଫ କରିଛି ।