ପୋଲିସ ହାତରେ ଶଳା ଭିଣୋଇ ଗ୍ୟାଙ୍ଗର ୩ ସଦସ୍ୟ

ଭୁବନେଶ୍ବର: କମିଶନରେଟ ପୋଲିସ ହାତରେ ଶଳା ଭିଣୋଇ ଗ୍ଯାଙ୍ଗ । ଗ୍ୟାଙ୍ଗର ୩ ସଦସ୍ୟଙ୍କୁ ବାନ୍ଧିଲା କମିଶନରେଟ ପୋଲିସ । ଧରାପଡ଼ିଥିବା ଅଭିଯୁକ୍ତମାନେ ହେଲେ ଭୁବନେଶ୍ବର ବାଣୀବିହାର ବସ୍ତିର ଗଣେଶ ପୂର୍ତ୍ତି ଏବଂ ଶଙ୍କର ଦାସ । ଏମାନେ ସମ୍ପର୍କରେ ଶଳା ଭିଣୋଇ। ତୃତୀୟ ଅଭିଯୁକ୍ତ ଏସ. କେ. ନିୟାମତ ଓରଫ ଛୋଟୁ ଖାରବେଳ ନଗର ବସ୍ତିରେ ରୁହେ ।

ଏମାନଙ୍କ ଟାର୍ଗେଟରେ ଥିଲେ ମର୍ଣ୍ଣିଂ କରୁଥିବା, ଅଫିସ ଯାଉଥିବା, ଘରୁ ବାହାରୁଥିବା ମହିଳା । ଏପରି ମହିଳାଙ୍କୁ ଏକୁଟିଆ ଦେଖିଲେ ଟାର୍ଗେଟ କରି ସୁନା ଚେନ୍ ଲୁଟୁଥିଲେ ଏହି ଗ୍ୟାଙ୍ଗ ସଦସ୍ୟ ।

କଟକ ଓ ଭୁବନେଶ୍ବରରେ ଏମାନେ ମହିଳାମାନଙ୍କୁ ଟାର୍ଗେଟ କରୁଥିଲେ। କଟୁରୀ ଦେଖାଇ ଲୁଟ୍ କରୁଥିଲେ ସୁନା ଚେନ୍ । ୩ ସପ୍ତାହ ଭିତରେ ୬ଟି ମାମଲା ହେବା ପରେ ଲୁଟେରାଙ୍କୁ ଧରିବାକୁ ଉଦ୍ୟମ ଆରମ୍ଭ କରିଥିଲା ପୋଲିସ । ତଦନ୍ତରୁ ଜଣାପଡ଼ିଥିଲା, ଏମାନଙ୍କ କ୍ରାଇମ ପ୍ଯାଟର୍ଣ୍ଣ ସମାନ ।

ଏମାନେ ଆଗରୁ ମଧ୍ଯ ଲୁଟପାଟରେ ସଂପୃକ୍ତ ଥିଲେ । କଟକ, ଭୁବନେଶ୍ବର, ଭଦ୍ରକରେ ଏମାନଙ୍କ ନାଁରେ ପ୍ରାୟ ୪୮ଟି ମାମଲା ରହିଛି । ଜେଲରୁ ଗତ ମେ’ ମାସରେ ବାହାରିବା ପରେ ଏକାଠି ହୋଇ ସେମାନେ ପୁଣି ଚେନ୍ ଲୁଟିବା ଆରମ୍ଭ କରିଥିଲେ । ଅଭିଯୁକ୍ତଙ୍କଠାରୁ ସୁନା ଚେନ, କଟୁରି, ମୋବାଇଲ, ବାଇକ ଜବତ କରିଛି ପୋଲିସ ।