ଭୁବନେଶ୍ୱର କ୍ଳବ ପରିସରରେ ମହାନ ସାହିତ୍ୟିକ ଦସ୍ତୋଭସ୍କିଙ୍କ ଦ୍ୱିଶତବାର୍ଷିକ ଜୟନ୍ତୀ ପାଳନ

ଭୁବନେଶ୍ୱର: ଭୁବନେଶ୍ୱର କ୍ଳବର ସାହିତ୍ୟିକ ଓ ସାଂସ୍କୃତିକ ସଂଗଠନ ସୁକୃତ୍‌ରେ ମଣିଷ ଇତିହାସର ଅନ୍ୟତମ ଶ୍ରେଷ୍ଠ ସାହିତ୍ୟକାର ଫିଓଡର ମିଖାଇଲୋଭିଚ୍ ଦସ୍ତୋଭସ୍କିଙ୍କ ଦ୍ୱିଶତବାର୍ଷିକ ଜୟନ୍ତୀ ୧୧.୧୧.୨୧ ତାରିଖରେ ପାଳିତ ହୋଇଯାଇଛି । ସାହିତ୍ୟକାର ହିସାବରେ ତାଙ୍କ ପ୍ରତିଷ୍ଠା ଏଭଳି ଯେ, କାଫ୍‌କା ଓ କାମ୍ୟୁସ୍‌ଙ୍କ ଭଳି ସ୍ଥିତିବାଦୀଙ୍କ ଠାରୁ ଆରମ୍ଭ କରି ବାସ୍ତବତାବାଦୀ ଲରେନ୍‌ସ୍ ଓ ହେମିଙ୍ଗୱେଙ୍କ ପର୍ଯ୍ୟନ୍ତ ଓ ଫ୍ରେଡେରିକ୍ ନୀଚାଙ୍କ ଭଳି ମହାନ୍ ଦାର୍ଶନିକ ଓ ଆଇନ୍‌ଷ୍ଟାଇନ୍‌ଙ୍କ ଭଳି ବିଖ୍ୟାତ ବୈଜ୍ଞାନିକ ତାଙ୍କୁ ଆପଣାର ଗୁରୁ ହିସାବରେ ଗ୍ରହଣ କରିଛନ୍ତି ।

ଆମ ସମୟର ନୋବେଲ୍ ବିଜେତା ଔପନ୍ୟାସିକ କୁଜିଏ ଓ ମନସ୍ତତ୍ତ୍ୱବିଦ୍‌ ଜୋର୍ଡାନ୍ ପିଟରସନ୍ ମଧ୍ୟ ତାଙ୍କୁ ପ୍ରେରଣାର ଉତ୍ସ ବୋଲି ମନେ କରିଛନ୍ତି । ପିକାସୋଙ୍କୁ ଯେପରି ଆଧୁନିକ ଚିତ୍ରକଳାର ଜନକ ବୋଲି ମନେ କରାଯାଇଥାଏ ଠିକ୍ ସେହିପରି ଦସ୍ତୋଭସ୍କିଙ୍କୁ ଆଧୁନିକ ଉପନ୍ୟାସ ସାହିତ୍ୟର ଜନକର ମାନ୍ୟତା ଦିଆଯାଇଥାଏ । ମଣିଷର ଚରିତ୍ର ସମ୍ପର୍କରେ ଗଭୀର ମନସ୍ତାତ୍ତ୍ୱିକ ଅନୁଶୀଳନ, ଜୀବନ ଓ ତହିଁରେ ମଣିଷର ସ୍ଥିତି ସଂପର୍କରେ ଦାର୍ଶନିକ ଅବବୋଧ ମାଧ୍ୟମରେ ସିଏ ଉପନ୍ୟାସ କଳାର ଏକ
ନୂତନ ଦିଗନ୍ତ ଉଦ୍‌ଭାବନ କରିଛନ୍ତି ।

କ୍ଳବ୍‌ର ଆମନ୍ତ୍ରଣ ରକ୍ଷାକରି ସର୍ବଶ୍ରୀ ହରପ୍ରସାଦ ଦାସ, ପ୍ରଫେସର ଯତୀନ୍ଦ୍ର କେ ନାୟକ, ପ୍ରଫେସର ଦୀପ୍ତି ପଟ୍ଟନାୟକ, ଶ୍ୟାମ ପ୍ରସାଦ ଚୌଧୁରୀ ଓ ସଂଗ୍ରାମ ଜେନାଙ୍କ ଭଳି ବିଶିଷ୍ଟ ସାହିତ୍ୟିକମାନେ ଦସ୍ତୋଭସ୍କିଙ୍କ ଉପନ୍ୟାସଗୁଡ଼ିକର ନିର୍ବାଚିତ ଅଂଶ କ୍ଳବ୍‌ର ମେମ୍ବର ଓ ଦସ୍ତୋଭସ୍କି ଆମୋଦୀ ସହରର ସୁଧୀମଣ୍ଡଳୀଙ୍କୁ ପଢ଼ି ଶୁଣାଇଥିଲେ ।

Leave a Reply