ରାଜଧାନୀ ଶିଶୁ ହତ୍ୟା ମାମଲା, ହସ୍ପିଟାଲ ଉପରେ ନଜର

ଭୁବନେଶ୍ୱର: ଜୀବନ କ’ଣ ଜାଣିବା ଆଗରୁ ଗୋଟିଏ ନିରୀହ ଶିଶୁର ଜୀବନ ଲିଭିଗଲା । ଗୋଟିଏ ମା’ର କୋଳଶୁନ୍ୟ କରିଦେଲା ଆଉ ଗୋଟିଏ ମା’ । ଦୁଇ ଦିନ ଧରି ରାଜଧାନୀ ଭୁବନେଶ୍ୱର ସେଇ ଗୋଟିଏ ପ୍ରଶ୍ନ ଭିତରେ ଧନ୍ଦି ହେଉଛି । ସାଇରାମ କେମିତି ମଲା ? କାହିଁକି ନିଜେ ଜଣେ ମା’ ହୋଇବି ସେହି ମହିଳା ଗୋଟିଏ କୁନି ଛୁଆଠାରୁ ଜୀବନ ଛଡାଇ ନେଲେ  ?

ସାଇରାମ ପାତ୍ର ହତ୍ୟା ପଛର ଖିଅ ପୋଲିସ ଖୋଜୁଛି । ଏଣେ  ଦୁଇ ଦିନପରେ ବି କିଲର୍‌ ଲେଡି ତନୁଶ୍ରୀ ପରମାଣିକଙ୍କ ହୋସ ଫେରିନି । ଦୋ ଛୋକିରେ ଖଣ୍ଡଗିରି ପୋଲିସ। ତଦନ୍ତ ଶେଷ ନ ହେବା ଯାଏଁ ରାଜ୍ୟ ବାହାରକୁ ନଯିବା ପାଇଁ ତନୁଶ୍ରୀଙ୍କ ସ୍ୱାମୀଙ୍କୁ ପୋଲିସ ନିର୍ଦ୍ଦେଶ ଦେଇଛି । ଅନ୍ୟପଟେ ହତ୍ୟାକାରୀ ତନୁଶ୍ରୀଙ୍କୁ ଫାଶୀ ଦେବାକୁ  ଦାବି କରିଛନ୍ତି ରାଜୀବନଗର ବାସିନ୍ଦା ।

ହସ୍ପିଟାଲ ଉପରେ ଆଖି

ହତ୍ୟା ହୋଇଛି ତାକୁ ନେଇ କୌଣସି ସନ୍ଦେହ ନାହିଁ  । କିନ୍ତୁ ସାଇରାମ ପାତ୍ରଙ୍କ ହତ୍ୟାର କାରଣ କ’ଣ ଥିଲା? ଏହା ହେଉଛି ଏବେ ପୋଲିସ ପାଇଁ ମୁଣ୍ଡବିନ୍ଧା । କଣ ପାଇଁ ତନୁଶ୍ରୀ ସାଜିଲେ ହତ୍ୟାକାରୀ ତାହା ଜାଣିବା ପାଇଁ ଖାଲି ପୋଲିସ ଉତ୍ସୁକ ନୁହେଁ ସାଧାରଣ ଲୋକ ମଧ୍ୟ କାରଣ ଜାଣିବା ପାଇଁ ଚାତକ ଭଳି ଚାହିଁ ବସିଛନ୍ତି ।  କିନ୍ତୁ ଘଟଣା ମୁଖ୍ୟ ଚରିତ୍ର, ଯିଏ କାରଣ ଜାଣିଛନ୍ତି ସେ କହିବା ପରିସ୍ଥିତିରେ ନାହାନ୍ତି ।

କାରଣ ତନୁଶ୍ରୀ ଏବେ ଚେତାଶୁନ୍ୟ । ହସ୍ପିଟାଲରେ ଅଚେତନ ଥିବା ତନୁଶ୍ରୀଙ୍କ ଚେତା କେବେ ଫେରିବ ଓ ସେ କେବେ ମୁହଁ ଖୋଲିବେ ତାକୁ ଚାହିଁ ବସିଛି ପୋଲିସ । ଏବେ କିନ୍ତୁ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଯେ, ତଦନ୍ତକୁ ବିଳମ୍ବିତ କରିବା ପାଇଁ ଜାଣିଶୁଣି ଅଚେତ ହେବାର ଅଭିନୟ କରୁଛନ୍ତି ସନ୍ଦିଗ୍ଧ ।ତନୁଶ୍ରୀ କଣ ପାଇଁ ଏମିତି କଲେ ? କେବେଳ ସେ ନିଜେ ଜାଣନ୍ତି । କିନ୍ତୁ ପୋଲିସ ତାଙ୍କ ସ୍ୱାମୀ ତଦନ୍ତ ନସରିବା ପର୍ଯ୍ୟନ୍ତ ରାଜ୍ୟ ନଛାଡିବାକୁ ନିର୍ଦ୍ଦେଶ ଦେଇଛି ।

ସେଦିନ କ’ଣ ହୋଇଥିଲା ?

ସେଦିନ ଥରେ ନୁହେଁ ସାଇରାମକୁ ତିନି ଥର ଖେଳିବା ପାଇଁ ଡାକିଥିଲେ ପଡିଶାଘରର ତନୁଶ୍ରୀ । ନିଜ ଝିଅ ସହ ଖେଳିବା ପାଇଁ ତନୁଶ୍ରୀ ସାଇରାମକୁ ଡାକିଥିଲେ । ସାଇରାମ ଖେଳିବାକୁ ତନୁଶ୍ରୀଙ୍କ ଘରକୁ ଯାଇଥିଲା । କିନ୍ତୁ ମାତ୍ର କେଇ ଘଣ୍ଟା ଭିତରେ ସବୁକିଛି ବଦଳି ଯାଇଥିଲା ।

ଜୀବନ୍ତ ସାଇରାମ ଲାସ୍ ପାଲଟି ଯାଇଥିଲା । ଘର ଭିତରେ କ’ଣ ହୋଇଥିଲା କେବଳ ତନୁଶ୍ରୀ ଜାଣନ୍ତି । କିନ୍ତୁ ସାଇରାମଙ୍କ ବଡଭାଇର କଥା ଅନୁସାରେ ସାନଭାଇର ଫେରିବାରେ ବିଳମ୍ବ ହେବାରୁ  ସେ ତାକୁ ଘରକୁ ଆଣିବାକୁ ତନୁଶ୍ରୀଙ୍କ ଘରକୁ ଯାଇଥିଲେ ।

କିନ୍ତୁ ସେଠି ଭାଇ ବଦଳେ ଦେଖିଥିଲେ ଲାସ । ଖଟ ଉପରେ ପଡିଥିଲା ସାଇରାମ। ପାଟିରୁ ନାଳ ଓ ରକ୍ତ ବାହାରୁଥିଲା। ଆଉ ଏହି ସମୃୟରେ ହତ୍ୟାକାରୀ ତନୁଶ୍ରୀ ବସିଥିଲା ଖଟ ଉପରେ।

ମମତା ଏମିତି, ୫ ବର୍ଷର ଛୁଆକୁ ତଣ୍ଟିଚିପି ମାରିଦେଲା…

ସତ ଦିନେ ନା ଦିନେ ସାମ୍ନାକୁ ଆସିବ । ତନୁଶ୍ରୀ ମୁହଁ ଖୋଲିଲେ ସତ ପଦାକୁ ଆସିବ । କିନ୍ତୁ ଏବେ ଯଦି ତନୁଶ୍ରୀଙ୍କ ଝିଅ କଥାକୁ ବିଶ୍ୱାସ କରାଯାଏ ତେବେ ସେ କଥା କଥାରେ ତଣ୍ଟି ଚିପି ଧରୁଥିଲେ । ତେବେ ପ୍ରଶ୍ନ ହେଲା ସେଦିନ ତନୁଶ୍ରୀ କ’ଣ ପାଇଁ ସାଇରାମଙ୍କ ତଣ୍ଟି ଧରିଥିଲେ ? ଉତ୍ତର ପାଇବାକୁ ହୁଏତ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡିବ ।

Leave a Reply