ରାଜ୍ୟରେ ସାର ଅଭାବକୁ ନେଇ ବର୍ଷିଲା ବିଜେଡି

ଭୁବନେଶ୍ବର : ସାରା ରାଜ୍ୟରେ ସାର ସଂକଟ। ଚାଷୀଙ୍କୁ ସାର ମିଳୁନି। ଚାଷ ହେବ କେମିତି। ରୁଆ ବିହୁଡ଼ା ପୁରା ସରିଯାଇଥିବା ବେଳେ ଭଲ ଚାଷ ପାଇଁ ଏବେ ନିହାତି ବିଭିନ୍ନ ପ୍ରକାରର ସାର ଦରକାର। ଦରକାର ମୁତାବକ ସାର ମିଳୁନଥିବାରୁ ଚାଷୀମାନେ ରାସ୍ତାକୁ ଓହ୍ଲାଇଲେଣି। ଆନ୍ଦୋଳନ କଲେଣି। ଏହାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେଡି। ଦଳର ଉପସଭାପତି ଅତନୁ ସବ୍ୟସାଚୀ କଡ଼ା ଭାଷାରେ କହିଛନ୍ତି, ସରକାର ଶୋଇ ପଡ଼ିଛନ୍ତି। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସାରର ଅଭାବ ସଂପର୍କରେ କେନ୍ଦ୍ରକୁ ଏକ ଚିଠି ଲେଖି ବାସ୍ତବ ସ୍ଥିତି ନେଇ ଅବଗତ କରିଛନ୍ତି। ସାର କଳା ବଜାରୀ ହେଉଛି, ଚାଷୀଙ୍କ ପାଖରେ ପହଂଚୁନି। ବିଳମ୍ବ ହେଲେ ବି ମୁଖ୍ୟମନ୍ତ୍ରୀ ସମୀକ୍ଷା କଲେ। ହେଲେ ସାର ଚାଷୀ ନା କାହା ପାଖକୁ ଯାଇଛି ? ଦୁର୍ନୀତି ହୋଇଛି। ରାତି ଅଧରେ ହଜାରେ ଟଙ୍କାରେ ସାର ବିକ୍ରି ହେଲା। ଏଥିପାଇଁ ସରକାରୀ କଳ ଦାୟୀ। ଏହାକୁ ସଜାଡ଼ିବା ପରିବର୍ତ୍ତେ ସମବାୟ ମନ୍ତ୍ରୀ କହୁଛନ୍ତି ପର୍ଯ୍ୟାପ୍ତ ସାର ଅଛି। କୃଷି ମନ୍ତ୍ରୀ ସାର ତଥ୍ୟ ଶୁଣାଇଲେ। ଯଦି କେହି ଅନାହାରରେ ପଡିଛନ୍ତି, ତାଙ୍କୁ ଏକାଦଶୀ ଉପବାସ କଥା କହୁଛନ୍ତି। ଚାଷୀଙ୍କ କଟା ଘାରେ ଚୂନ ମରାଯାଉଛି। ମାର୍କଫେଡ୍‌, ସରକାର ଓ କୃଷି ବିଭାଗର ସମନ୍ୱୟରେ ସାର ଦିଆଯାଏ। କେତେ ସାର ଦିଆଯାଇଛି ବୋଲି ପ୍ରଶ୍ନ କରିଛନ୍ତି ଅତନୁ। କୃଷି ଓ ସମବାୟ ବିଭାଗ ମଧ୍ୟରେ ଲଢେଇ ଚାଲିଛି। ବିଜେପି ରାଜ୍ୟ ସଭାପତି କହିଲେ ପର୍ଯ୍ୟାପ୍ତ ସାର ଅଛି। ଯଦି ପର୍ଯ୍ୟାପ୍ତ ସାର ଅଛି, ଚାଷୀଙ୍କୁ କାହିଁକି ମିଳୁନି। ସେମାନଙ୍କୁ କଣ ରାସ୍ତାକୁ ଓହ୍ଲାଇବାକୁ ଭଲ ଲାଗୁଛି। ଟ୍ରାକକୁ ଫେରନ୍ତୁ ସରକାର। ନ ହେଲେ ଚାଷୀଙ୍କ ପାଇଁ ବିଜେଡି ଆନ୍ଦୋଳନ କରିବ ବୋଲି କହିଛନ୍ତି ଅତନୁ। ତାଳଚେର ସାର କାରଖାନା କାହିଁକି କାର୍ଯ୍ୟକ୍ଷମ ହେଉନି ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି।