ପୁଣି ଲୋକଲୋଚନକୁ ଆସିବ ବିଲୁପ୍ତପ୍ରାୟ ଲୋକକଳା, ମନମୋହିଲା ଭାରତଲୀଳା

ଭୁବନେଶ୍ବର: ପୁଣି ଲୋକଲୋଚନକୁ ଆସିବ ବିଲୁପ୍ତପ୍ରାୟ ଲୋକକଳା । ଏଥିପାଇଁ ଦେବଦାସୀ ଡ୍ୟାନ୍ସ ଏକାଡେମୀ ପକ୍ଷରୁ ଆରମ୍ଭ ହୋଇଛି ପ୍ରୟାସ । ଭୁବନେଶ୍ବ ଭଞ୍ଜକଳା ମଣ୍ଡପରେ ଆରମ୍ଭ ହୋଇଛି ୧୩ ତମ ନୃତ୍ୟ କାର୍ଯ୍ୟକ୍ରମ ପ୍ରତ୍ୟାବର୍ତ୍ତନ । କାର୍ଯ୍ୟକ୍ରମରେ ଗଞ୍ଜାମର ପ୍ରଶିଦ୍ଧ ଲୋକନାଟକ ଭାରତ ଲୀଳା ପରିବେଷଣ ହୋଇଛି । ବିଲୁପ୍ତପ୍ରାୟ ଏହି କଳାର ଆକର୍ଷଣ ଦର୍ଶକଙ୍କୁ ଅବିଭୂତ କରିଛି ।

ଗାଁ ଗାଁରେ ଲୋକକଳାର ବଢିବ ଆଦର । ବିଲୁପ୍ତ କଳାକୁ ଲୋକ ଲୋଚନକୁ ଆଣିବାକୁ ପ୍ରୟାସ । ଭୁବନେଶ୍ବର ଭଞ୍ଜକଳା ମଣ୍ଡପରେ ଆରମ୍ଭ ହେଲା ୧୩ ତମ ନୃତ୍ୟ କାର୍ଯ୍ୟକ୍ରମ ପ୍ରତ୍ୟାବର୍ତ୍ତନ । ଯେଉଁଠି ଦେଖିବାକୁ ମିଳିଛି ସମୃଦ୍ଧ ଅତୀତ ଓ ବିଦଗ୍ଧ ବର୍ତ୍ତମାନର ମହାମିଳନ। ମଞ୍ଚସ୍ଥ ହୋଇଛି ଗଞ୍ଜାମର ପ୍ରସିଦ୍ଧ ଲୋକ ନାଟକ ଭାରତ ଲୀଳା । ବର୍ଣ୍ଣାଢ଼୍ୟ ରାଜା, ରାଣୀ, କଟୁଆଳ ମଞ୍ଚରେ ଦେଖାଇଛନ୍ତି ନିଜର ଚମତ୍କାର ଅଭିନୟ । ମହାଭାରତର ଅର୍ଜୁନ ଓ ସୁଭଦ୍ରାଙ୍କ ପରିଣୟ ବିଷୟ ସହ ବିଶିଷ୍ଟ କବି ମାନଙ୍କ ଛନ୍ଦ, କାବ୍ୟ ଓ ଚଉପତିକୁ ନେଇ ରଚିତ ହୋଇଛି ଏହି ଲୋକନାଟ୍ୟ । ଭାରତ ଲୀଳାର ପ୍ରତ୍ୟେକଟି କଳାକାରଙ୍କ ଅଭିନୟ ଦର୍ଶକଙ୍କୁ ଅବିଭୂତ କରିଛି ।

ହଜି ଯାଉଥିବା ଲୋକ ନାଟକ ସହ ନୂତନ ପିଢିକୁ ପରିଚିତ କରାଇବାକୁ ଆରମ୍ଭ ହୋଇଛି ଏପରି ନିଆରା ଉଦ୍ୟମ । ଦେବଦାସୀ ଡ୍ୟାନ୍ସ ଏକାଡେମୀର ଏହି ତ୍ରୟେଦଶ ପ୍ରତ୍ୟାବର୍ତ୍ତନ କାର୍ଯ୍ୟକ୍ରମକୁ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଦିଲୀପ ରାଉତରାୟ ଉଦଘାଟନ କରିଛନ୍ତି । ଦୀର୍ଘ ୧୨ ବର୍ଷ ହେବ ଅନୁଷ୍ଠାନ ପକ୍ଷରୁ କେନ୍ଦରା, କଣ୍ଢେଇ ନାଚ, ଧୁଡୁକି, ବାଘ ନାଚ, ଲଉଡି, ଘୋଡ଼ା ନାଚ, ଝୁମୁରା, ଭଳି ଅନେକ ନାଟକକୁ ପ୍ରେତ୍ସାହିତ କରାଯାଉଛି । ପ୍ରତ୍ୟାବର୍ତ୍ତନର ଏହି ପ୍ରୟାସ ନୂତନ ପିଢିକୁ ପୂରାତନ ପରମ୍ପରା ସମ୍ପର୍କରେ ପରିଚିତ କରାଇବାରେ ସହାୟକ ହେବ ବୋଲି କହିଛନ୍ତି ଦର୍ଶକ ।