ଚିନ୍ତା ବଢ଼ାଉଛି ଡେଙ୍ଗୁ, ୨ହଜାର ରୋଗୀ ଚିହ୍ନଟ ସହ ଭୁବନେଶ୍ୱର ପାଲଟିଛି ହଟସ୍ପଟ୍

ଡରାଉଛି ଡେଙ୍ଗୁ । ଦିନକୁ ଦିନ ବୃଦ୍ଧି ପାଉଥିବା ଡେଙ୍ଗୁରୋଗୀଙ୍କ ସଂଖ୍ୟା ଚିନ୍ତାର କାରଣ ହୋଇଛି । ସେପ୍ଟେମ୍ବର ମାସ ନପୁରୁଣୁ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଟପିସାରିଛି । ଆଗକୁ ପୁଣି ବର୍ଷା ଥିବାରୁ ସଂଖ୍ୟା ଆହୁରି ବଢିବା ସମ୍ଭାବନା ରହିଛି । ଖୋର୍ଦ୍ଧା ଜିଲ୍ଲା ରେଡ ଜୋନରେ ଥିବାବେଳେ ହଟସ୍ପଟ୍ ପାଲଟିଛି ଭୁବନେଶ୍ୱର। ସେପ୍ଟେମ୍ବର ମାସରେ କେବଳ ଏକ ହଜାର ଡେଙ୍ଗୁ ଚିହ୍ନଟ ହୋଇସାରିଥିବା ବେଳେ ବର୍ତ୍ତମାନ ସୁଦ୍ଧା  ଭୁବନେଶ୍ୱରରୁ ମୋଟ ୨ହଜାର ରୋଗୀ ଚିହ୍ନଟ ହୋଇସାରିଛନ୍ତି । ସରକାରୀ ଭାବେ ଡେଙ୍ଗୁ ଜନିତ କାହାରି ମୃତ୍ୟୁ ହୋଇନଥିବା କୁହାଯାଉଥିଲେ ସୁଦ୍ଧା ରୋଗୀଙ୍କ ସଂଖ୍ୟା ବହୁ ଅଧିକ ଓ ଅନେକଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ଏଥିପାଇଁ ବିଏମସିର ପରିମଳ ବ୍ୟବସ୍ଥାକୁ ସିଧାସଳଖ ଦାୟୀ କରିଛନ୍ତି ରାଜଧାନୀବାସୀ।

ସେପଟେ ବର୍ତ୍ତମାନ ଟେଷ୍ଟିଂ ପଜିଟିଭ ରେଟ ଶତକଡା ୫୦ପ୍ରତିଶତ କମିଛି । ସାପ୍ତାହିକ ଦୁଇଦିନ ଡ୍ରାଏ ଡେ ପାଳନ ସହ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି । ଆଗକୁ ବର୍ଷା ଯୋଗୁଁ ସ୍ଥିତି ସଙ୍ଗୀନ ହେବା ସମ୍ଭାବନା ଥିବାରୁ ସମସ୍ତଙ୍କୁ ଯତ୍ନବାନ ହେବା ଜରୁରୀ ବୋଲି କହିଛନ୍ତି ବିଏମସି କମିଶନର। ଖୋର୍ଦ୍ଧା ସମେତ ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ଗଜପତି ଓ ପୁରୀ ଆଦି ଜିଲ୍ଲାରେ ମଧ୍ୟ ଡେଙ୍ଗୁ ସ୍ଥିତି ଚିନ୍ତାଜନକ ରହିଛି