ବସ୍ତି ଏବେ ବିଜୁ ଆଦର୍ଶ କଲୋନୀ

ଭୁବନେଶ୍ବର: ରାଜଧାନୀରେ ବସ୍ତି ବାସିନ୍ଦାଙ୍କ ପକ୍କାଘର ସ୍ବପ୍ନ ପୂରଣ। ମିଳୁଛି ପକ୍କାଘର। ଜାଗା ମିଶନରେ ଭୂମିହୀନଙ୍କୁ ଜମିପଟ୍ଟା ମିଳୁଛି। ଭୂମିହୀନଙ୍କୁ ଜମିପଟ୍ଟା ଏବଂ ବସ୍ତି ବାସିନ୍ଦାଙ୍କୁ ପକ୍କାଘର ଦେଇ ନବୀନ ସରକାର ସେମାନଙ୍କୁ ସମ୍ମାନର ସହ ବଞ୍ଚିବାର ସୁଯୋଗ ଦେଇଛନ୍ତି । ସମସ୍ତ ସୁବିଧା ସହ ପ୍ରସ୍ତୁତ ହୋଇଛି ବିଜୁ ଆଦର୍ଶ କଲୋନୀ। ଯାହା କେହି କେବେ ଚିନ୍ତା କରିନଥିଲେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାହା ବାସ୍ତବରେ କରି ଦେଖାଇଛନ୍ତି।
ରାଜଧାନୀରେ ବସ୍ତିର ରୂପାନ୍ତରଣ। ବସ୍ତି ଏବେ ବିଜୁ ଆଦର୍ଶ କଲୋନୀ। ସୁଉଚ୍ଚ ଅଟ୍ଟାଳିକା ସାଙ୍ଗକୁ ପାର୍କ, କମ୍ୟୁନିଟି ସେଣ୍ଟର, ୨୪ ଘଣ୍ଟିଆ ବିଜୁଳି, ପାଣି, ମାର୍କେଟ କମ୍ପ୍ଲେକ୍ସ, କଲ୍ୟାଣ ମଣ୍ଡପ । ବର୍ଷବର୍ଷ ଧରି ଝୁମ୍ପୁଡ଼ିରେ ରହୁଥିବା ଲୋକଙ୍କୁ ପକ୍କାଘର ମିଳୁଛି । ଭୁବନେଶ୍ବରରେ ମହିଷିଆ ଖାଲ, ଗଧିଆ ଖାଲ, ପଥର ବନ୍ଧ ଓ ସହିଦ ନଗର ପରେ ଚନ୍ଦ୍ରଶେଖରପୁରରେ ନୀଳମାଧବ ନିବାସ ପକ୍କାଘର ଯୋଜନା କାର୍ଯ୍ଯକାରୀ ହୋଇଛି । ଯାହା କେହି କେବେ ଚିନ୍ତା ବି କରିନଥିଲେ, ତାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାସ୍ତବରେ କରିଥିବାରୁ ସମସ୍ତେ କୃତଜ୍ଞତା ଜଣାଇଛନ୍ତି ।
ସବୁ ପ୍ରକାର ସୁବିଧା ଥାଇ ବସ୍ତି ବାସିନ୍ଦାଙ୍କୁ ପକ୍କାଘର ମିଳିବା ସହ ଭୂମିହୀନଙ୍କୁ ଜାଗା ମିଶନରେ ଜମିପଟ୍ଟା ମିଳୁଛି । ମିଳୁଛି ସମ୍ମାନର ସହ ବଞ୍ଚିବାର ଅଧିକାର। ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ଭୂମିହୀନଙ୍କୁ ଜମି ଅଧିକାର ପ୍ରମାଣପତ୍ର ମିଳୁଛି । ୫୨ ହଜାର ଲୋକ ଉପକୃତ ହୋଇଛନ୍ତି। ଭୁବନେଶ୍ବରରେ ୪୭୧ଟି ବସ୍ତିରୁ ୩୭୫ଟି ବସ୍ତିର ହିତାଧିକାରୀ ତାଲିକା ଚୂଡ଼ାନ୍ତ ହୋଇଛି । ବିଜୁ ଆଦର୍ଶ କଲୋନୀରେ ଅଧିକରୁ ଅଧିକ ଲୋକଙ୍କୁ ଶୀଘ୍ର ପକ୍କାଘର ଯୋଗାଇବା ପାଇଁ ତତ୍ପର ହୋଇଛି ପ୍ରଶାସନ । କଟକ ମହାନଗର ନିଗମ ଅଞ୍ଚଳରେ ମଧ୍ଯ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ଐତିହାସିକ ପଦକ୍ଷେପ କାର୍ଯ୍ଯକାରୀ ହେଉଛି । ସବୁ ସହରରେ ଭୂମିହୀନଙ୍କୁ ଜମିପଟ୍ଟା ବଣ୍ଟନ ଆରମ୍ଭ ହୋଇଛି। ଆବାସ ଯୋଜନାରେ ୧୦ ହଜାରରୁ ଅଧିକ ଲୋକ ପକ୍କାଘର ପାଇଛନ୍ତି । ଅତ୍ୟାଧୁନି ସୁବିଧା ସୁଯୋଗ ସହ ବସ୍ତିଗୁଡ଼ିକ ବିଜୁ ଆଦର୍ଶ କଲୋନୀରେ ରୂପାନ୍ତର ହେଉଛି ।