ଭୁବନେଶ୍ବର : ରାଜଧାନୀରେ ଚାଞ୍ଚଲ୍ୟ । ବରମୁଣ୍ଡା ବସ୍ଷ୍ଟାଣ୍ଡରୁ ନାବାଳିକା ସମେତ ୪ ଯୁବତୀଙ୍କୁ ଅପହରଣ ଉଦ୍ୟମ ଅଭିଯୋଗ । ରାଜଧାନୀ ଭୁବନେଶ୍ୱରରେ ଏଭଳି ଏକ ସଙ୍ଗୀନ ଘଟଣା ସାମ୍ନାକୁ ଆସିଛି । ଗତକାଲି ରାତିରେ ବରମୁଣ୍ଡା ବସ୍ଷ୍ଟାଣ୍ଡରୁ ଜଣେ ନାବାଳିକାଙ୍କ ସମେତ ୩ ଜଣ ଯୁବତୀଙ୍କୁ ଅପହରଣ କରିବା ଉଦ୍ୟମ ହୋଇଥିବା ଅଭିଯୋଗ ଆସିଛି । ଏକ ଆଶ୍ରମ ସହ ଜଡିତ କିଛି ଏନଜିଓ କର୍ମଚାରୀ ଏହି ଯୁବତୀମାନଙ୍କୁ ଜିଲ୍ଲା ବାହାରକୁ ଚାଲାଣ କରିବା ପାଇଁ ଉଦ୍ୟମ କରୁଥିବା କଥା ମଧ୍ୟ ଚର୍ଚ୍ଚାକୁ ଆସିଛି । ଖବର ମୁତାବକ ଗତକାଲି ରାତିରେ ଜଣେ ନାବାଳିକା ସହ ୩ ଯୁବତୀ ଭୟଭୀତ ଅବସ୍ଥାରେ ଦୌଡ଼ି ଦୌଡ଼ି ବରମୁଣ୍ଡା ବସ୍ଷ୍ଟାଣ୍ଡରେ ପହଞ୍ଚିଥିଲେ । ନିଜକୁ ବଞ୍ଚାଇବା ପାଇଁ ସେମାନେ ବସ୍ଷ୍ଟାଣ୍ଡ ନିକଟସ୍ଥ ଗଳି ଓ ବସ ତଳେ ଲୁଚି ଯାଇଥିଲେ । ସେହି ସମୟରେ ସଂପୃକ୍ତ ଏନଜିଓର କିଛି ମହିଳା କର୍ମଚାରୀ ସେମାନଙ୍କ ପିଛା କରୁଥିବା ଦେଖାଯାଇଥିଲା ।
ଘଟଣାକୁ ଦେଖି ବସ୍ଷ୍ଟାଣ୍ଡର ସୁରକ୍ଷାକର୍ମୀମାନେ ହସ୍ତକ୍ଷେପ କରି ଯୁବତୀମାନଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର ସମୟରେ ଯୁବତୀ ଓ ନାବଳିକା ତାଙ୍କ ଇଚ୍ଛା ବିରୋଧରେ ସେମାନଙ୍କୁ ନିଆଯାଉଥିବା କଥା କହିଥିବା ଜଣାପଡ଼ିଛି । ପରେ ସୁରକ୍ଷାକର୍ମୀମାନେ ସେମାନଙ୍କୁ ବରମୁଣ୍ଡା ବସ୍ଷ୍ଟାଣ୍ଡ ଫାଣ୍ଡି ପୋଲିସ ଜିମା ଦେଇଥିଲେ । ପୋଲିସ ଯୁବତୀମାନଙ୍କୁ ପଚରାଉଚରା କରିବା ପରେ ସର୍ଟ ଷ୍ଟେ ହୋମରେ ରଖିଥିବା ବେଳେ, ଘଟଣାସ୍ଥଳ ଓ ଆଖପାଖ ଅଞ୍ଚଳର ବିଭିନ୍ନ ସିସିଟିଭି ଫୁଟେଜ ଯାଞ୍ଚ କରିଛି । ସେମାନଙ୍କ ଉଦ୍ଦେଶ୍ୟ ପ୍ରକୃତରେ କଣ’ ଥିଲା ? କଣ’ ପାଇଁ ସେମାନେ ଅପହରଣ ଉଦ୍ୟମ କରିଥିଲେ ? ସେ ସବୁକୁ ନେଇ ଛାନଭିନ ଚଳାଇଛି ପୋଲିସ ।

