ଦୁର୍ଘଟଣାରେ ୮ ବର୍ଷୀୟ ଝିଅର ମୃତ୍ୟୁ ପରେ ରାଜଧାନୀରେ ତୁମ୍ବିତୋଫାନ

ଭୁବନେଶ୍ୱର : ଉତ୍ତ୍ୟକ୍ତ ଲୋକଙ୍କ ରଣହୁଙ୍କାର । ଘଣ୍ଟାଏ ଧରି ରାଜରାସ୍ତା ବନ୍ଦ । ଜଟଣୀରୁ ଜବତ ହେଲା କିଲର ଥାର୍ । ଫେରାର ହୋଇଗଲା ହିଟ ଆଣ୍ଡ ରନ ଅଭିଯୁକ୍ତ । ଭାଇ ହାତରେ ରାକ୍ଷୀ ବାନ୍ଧି ଫେରୁଥିବା ବେଳେ ପାତ୍ରପଡା ଠାରେ ଗତକାଲି ରାତିରେ ଘଟିଥିଲା ମର୍ମନ୍ତୁଦ ଦୁର୍ଘଟଣା । ରାସ୍ତା ପାର ହେଉଥିବା ବେଳେ ଫୁଲେଶ୍ୱରୀ ବସ୍ତିର ୮ ବର୍ଷ ବୟସର ଝିଅକୁ ଧକ୍କା ଦେଇଥିଲା ଏଇ ଥାର୍ । ହସ୍ପିଟାଲକୁ ନେବା ବାଟରେ ରେଶମା ରାଉଳଙ୍କ ମୃତ୍ୟୁ ଘଟିଥିବା ବେଳେ ମାଆ ରେବତୀ ରାଉଳ ଓ ପୁଅ ଏବେ ବି ଏମ୍ସରେ ଚିକିତ୍ସାଧୀନ ଅଛନ୍ତି । ଘଟଣାକୁ କେନ୍ଦ୍ରକରି କାଲିଠାରୁ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗିରହିଥିବା ବେଳେ ଆଜି ଏହା ନେଇଥିଲା ଉଗ୍ରରୂପ । ଶହ ଶହ ସଂଖ୍ୟାରେ ଲୋକେ ରାଜରାସ୍ତା ଉପରକୁ ଆସି ରାସ୍ତାରୋକ କରିଥିଲେ । ଯେଉଁ ସ୍ଥାନରେ ଫୁଟ ଓଭର ବ୍ରିଜ ରହିବା କଥା, ସେହି ସ୍ଥାନରେ ନିର୍ମାଣ ନହୋଇ ୩ ଶହ ମିଟର ଦୂରରେ ହୋଇଛି । ଯାହା ଫଳରେ ବିପଜ୍ଜନକ ଭାବେ ରାସ୍ତା ପାର ହେଉଥିବା ବେଳେ ନିତିଦିନ ଦୁର୍ଘଟଣା ଘଟୁଛି । ଏହାର ସ୍ଥାୟୀ ସମାଧାନ ଦାବିରେ ସ୍ଥାନୀୟ କର୍ପୋରେଟରଙ୍କ ନେତୃତ୍ୱରେ ପ୍ରାୟ ୧ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ରାସ୍ତାରୋକ କରିଥିଲେ ମୃତକଙ୍କ ପରିବାର ଲୋକେ ଓ ସ୍ଥାନୀୟ ବାସିନ୍ଦା।
ଦୁର୍ଘଟଣା ଘଟାଇଥିବା ଏହି ଗାଡିକୁ ଜଟଣୀରୁ ଜବତ କରାଯାଇଛି । ଦେଖନ୍ତୁ କେମିତି ଟ୍ରାଫିକ ନିୟମର ଧଜ୍ଜିଆ ଉଡାଯାଇଛି । ନମ୍ବର ପ୍ଲେଟ ଉପରେ କାଦୁଅ ବୋଳାଯାଇଛି ଓ ଗ୍ଲାସ ମାନଙ୍କରେ ବ୍ଲାକଫିଲ୍ମ ଲଗାଯାଇଛି । ଗାଡି ଛାଡି ଫେରାର ହୋଇଯାଇଥିବା କିଲର ଡ୍ରାଇଭରକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି । ଥାର୍ ଗାଡି ସହ ରେସିଂ କରୁଥିବା ସ୍କର୍ପିଓକୁ ଧରିବା ପାଇଁ ମଧ୍ୟ ଛାନବିନ ଜାରି ରହିଛି । ସେପଟେ ପ୍ରସାଶନର ଉଦାସୀନତାକୁ ଦାୟୀ କରିଛନ୍ତି କର୍ପୋରେଟର । ପାତ୍ରପଡା ଠାରେ ଫୁଟ ଓଭରବ୍ରିଜ ଦାବି କରି କେନ୍ଦ୍ର ପରିବହନ ମନ୍ତ୍ରୀଙ୍କୁ ପୂର୍ବରୁ ଏକାଧିକ ଥର ଚିଠି ଲେଖିଥିଲେ ସୁଦ୍ଧା କୌଣସି ସୁଫଳ ମିଳିନଥିବା କହିଛନ୍ତି ସ୍ଥାନୀୟ କର୍ପୋରେଟର । ଫେରାର ଥିବା ରୋଡ ରୋମିଓଙ୍କୁ ଖୁବଶୀଘ୍ର ଧରିବା ସହ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଯିବ ବୋଲି ସୂଚନା ଦେଇଛନ୍ତି ସ୍ଥାନୀୟ ଏସିପି । ମାସକ ଭିତରେ ଫୁଟ ଓଭରବ୍ରିଜ କାମ ଆରମ୍ଭ ପାଇଁ ଆଶ୍ୱାସନା ମିଳିଛି । କିନ୍ତୁ ମୌଖିକ ଭାବେ ଦିଆଯାଇଥିବା ଏହି ପ୍ରତିଶ୍ରୁତି ପୁରଣ ନହେଲେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ଧମକ ଦେଇଛନ୍ତି ସ୍ଥାନୀୟ ଲୋକେ ।