୫୦ ଘଣ୍ଟାର ଅପରେସନ ପରେ ଭୁବନେଶ୍ବର ପିଲାଚୋରି କେସରେ ସଫଳତା

ଭୁବନେଶ୍ୱର : କରିତକର୍ମା କେଦାରସେନ ହେଉଛି ମୁଖ୍ୟ କାର୍ପଟଦାର । ମହିଳାଙ୍କ ପ୍ରିୟପାତ୍ର ହେବା ପାଇଁ ଝାମ୍ପି ନେଇଥିଲା ଛୁଆ । ୫ ଶହ ସିସିଟିଭି ଯାଞ୍ଚ ପରେ ସ୍ପେଶାଲ ସ୍କ୍ବାଡକୁ ସଫଳତା । ଅପରେସନ ଜଗମୋହନକୁ ସବୁ ମହଲରୁ ପ୍ରଶଂସା । ମୁଖ୍ୟ ଅଭିଯୁକ୍ତ କେଦାରସେନ ପଣ୍ଡା । ବେଙ୍ଗାଲୁରୁରେ ସ୍ୱିଗି ଜମାଟୋ ଭଳି ସଂସ୍ଥାରେ ଫୁଡ ଡେଲିଭରି କରୁଥିଲା । ସେହିଠାରେ ତାର ଝେଲମ ପଣ୍ଡା ନାମକ ମହିଳାଙ୍କ ସ୍ୱାମୀ ସହ ସମ୍ପର୍କ ହୋଇଥିଲା । ଝେଲମଙ୍କ ସ୍ୱାମୀ ମେକାନିକ ଭାବେ ବାଙ୍ଗାଲୋରରେ କାମ କରୁଥିଲେ । ଯାହାର ସୁଯୋଗ ନେଇ ଝେଲମଙ୍କ ସହ ବେଶ ଅନ୍ତରଙ୍ଗ ହୋଇଥିଲା ଅଭିଯୁକ୍ତ । ଏହି ସମୟରେ ନିଜ ପିଲାର କିଡନୀ ସମସ୍ୟା ଥିବା କଥା କେଦାରସେନଙ୍କୁ ଜଣାଇଥିଲେ ଝେଲମ । ଅନାଥ ଶିଶୁଟିଏ ପାଇଲେ ତାଙ୍କର ସବୁ ସମସ୍ୟାର ସମାଧାନ ହୋଇଯିବ ବୋଲି କହିଥିଲେ ଝେଲମ । ଯେଉଁ କଥାରେ ଭଳିଯାଇ ସିଧା ବାଙ୍ଗାଲୋରରୁ ଟ୍ରେନରେ ଆସି ଭୁବନେଶ୍ବରରେ ପହଞ୍ଚିଥିଲା ଅଭିଯୁକ୍ତ । ରାମମନ୍ଦିର ପାଖେ ଜଳଖିଆ ଖାଇବା ବେଳେ, ଭିକ୍ଷାବୃତ୍ତି କରୁଥିବା ଦୃଷ୍ଟିବାଧିତ ମହିଳାଙ୍କ କୋଳରେ ଛୁଆଟିକୁ ଦେଖିଥିଲା । ଆଉ ତା ପରେ ଭିଡିଓ କଲ କରି ଛୁଆଟିକୁ ଦେଖାଇଥିଲା । ଶନିବାର ବିଳମ୍ବିତ ରାତିରେ ଭୁବନେଶ୍ୱରରେ କାଳବୈଶାଖୀର ସୁଯୋଗ ନେଇ ଛୁଆଟିକୁ ଝାମ୍ପି ନେଇ ବାଲେଶ୍ଵର ଚାଲିଯାଇଥିବା ପ୍ରେସମିଟରେ ସୂଚନା ଦେଇଛନ୍ତି ପୋଲିସ କମିଶନର ।
ଦୃଷ୍ଟିବାଧିତ ମହିଳା ଜୟନ୍ତୀ ମଲ୍ଲିକଙ୍କ ଛୁଆ ଚୋରି ନେଇ ରବିବାର ଖାରବେଳନଗର ଥାନାରେ କେସ ନମ୍ବର ୧୬୨ରେ ଏକ ମାମଲା ରୁଜୁ ହୋଇଥିଲା । ସମ୍ବେଦନଶୀଳ ପ୍ରସଙ୍ଗରେ ୬ ଟି ସ୍ପେଶାଲ ଟିମ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା । ହ୍ୟୁମାନ ଇଣ୍ଟେଲିଜେନ୍ସ , ଟେକ୍ନିକାଲ ଇଣ୍ଟେଲିଜେନ୍ସ, ୫ ଶହ ସିସିଟିଭି ଯାଞ୍ଚ, ଜିଆରପି ଓ ଆରପିଏଫ ସହଯୋଗରେ ବାଲେଶ୍ୱର ଖନ୍ତାପଡା ଥାନା ଅଞ୍ଚଳରୁ ଝେଲମ ପଣ୍ଡାଙ୍କୁ କାବୁ କରାଯାଇଥିଲା । ତାଙ୍କ ସହଯୋଗରେ କେଦାରସେନକୁ ଗିରଫ କରାଯାଇଛି । କେଦାରସେନ ନାଁରେ ଯାଜପୁର ଓ ପାହାଳ ଥାନାରେ ପୂର୍ବରୁ ଗାଡି ଚୋରି କେସ ଥିବା ଜାଣିବାକୁ ପାଇଛି ପୋଲିସ । ଅଭିଯୁକ୍ତଙ୍କୁ ବାଇକରେ ଲିଫ୍ଟ ଦେଇଥିବା ୨ ଯୁବକଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ତେବେ ଅଙ୍ଗତସ୍କରି ନେଇ ଏଯାଏଁ ସ୍ପଷ୍ଟ ହୋଇନଥିବା ସୂଚନା ଦେଇଛି କମିଶନରେଟ ପୋଲିସ । ଶିଶୁ ଟିକୁ ଉଦ୍ଧାର କରିବା ପରେ କ୍ୟାପିଟାଲ ହସପିଟାଲରେ ସ୍ବାସ୍ଥ୍ୟ ଯାଞ୍ଚ ପରେ ପୋଲିସ କମିଶନର ଓ ଡିସିପିଙ୍କ ଉପସ୍ଥିତିରେ ହସ୍ତାନ୍ତର କରାଯାଇଛି । ଛୁଆକୁ ପାଇବା ପରେ ଖୁସିରେ ଭୋ ଭୋ ହୋଇ କାନ୍ଦିବା ସହିତ କମିଶନରେଟ ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି ମହିଳା । ଏହାସହ ପ୍ରଭୁ ରାମଙ୍କ ଆଶୀର୍ବାଦରୁ ତାଙ୍କ ପିଲା ପୁଣି ଥରେ କୋଳକୁ ଫେରିଥିବା କହିଛନ୍ତି ।