ଭୁବନରେ ଶିକ୍ଷା ବିଭାଗର ମୁକୁଳା ଚିତ୍ର, କେଉଁଠି ଫାଟକ ଅଛି ତ ପାଚେରୀ ନାହିଁ
ଭୁବନ : ଢେଙ୍କାନାଳ ଜିଲ୍ଲା ଭୁବନରେ ଶିକ୍ଷା ବିଭାଗର ମୁକୁଳା ଚିତ୍ର । କେଉଁଠି ଫାଟକ ଅଛି ପାଚେରୀ ନାହିଁ । ତ ଆଉ କେଉଁଠି ତାର ବାଡ ପଡିଛି । ଭୁବନ ବ୍ଲକ ଓ ଏନଏସିରେ ମୋଟ ୧୧୨ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ଯାଳୟ ରହିଛି । ହେଲେ ଅନେକ ସ୍କୁଲରେ ପାଚେରୀ, ଶୌଚାଳୟ ଓ ପାନୀୟ ଜଳ ମୁଖ୍ୟ ସମସ୍ୟା ପାଲଟିଛି । ଦେଖନ୍ତୁ ଏହି ଦୃଶ୍ୟକୁ ଏ ହେଉଛି ଭୁଷଳ ପଞ୍ଚାୟତ ଅନ୍ତର୍ଗତ ଜୟପୁର ଗାଁର ଶୁଣ୍ଡିକାଟେଣୀ ପ୍ରାଥମିକ ବିଦ୍ଯାଳୟ । ଯେଉଁଠାରେ ମୂଖ୍ୟ ଫାଟକ ଅଛି ହେଲେ ପାଚେରୀ ନାହିଁ। ଛାତ୍ରଛାତ୍ରୀ ପାଠ ପଢ଼ୁଥିବାବେଳେ ପାଚେରୀ ନଥିବାରୁ ସ୍କୁଲ ପରିସରକୁ ଗାଈ ଗୋରୁ ପସି ଆସୁଛନ୍ତି । ସ୍କୁଲ ନିକଟରେ ଜଙ୍ଗଲ ଥିବାରୁ ଅନେକ ସମୟରେ ଜଙ୍ଗଲୀ ଜନ୍ତୁମାନେ ବିଦ୍ୟାଳୟ ଭିତରକୁ ଆସିଥିବାରୁ ଏକ ପ୍ରକାର ଭୟରେ ଛାତ୍ରଛାତ୍ରୀ । ପିଇବା ପାଣିର ସୁବିଧା ନଥିବାରୁ ମଧ୍ୟାହ୍ନ ଭୋଜନ ତିଆରି କରିବାରେ ଅସୁବିଧା ହେଉଥିବା ନେଇ ଅଭିଯୋଗ ହୋଇଛି ।
ସେହିପରି ଭୁବନ ବ୍ଲକ ଦୟଣାବିଲ ପଞ୍ଚାୟତର ପ୍ରାଥମିକ ସ୍କୁଲ ଜାତୀୟ ରାଜପଥ କଡରେ ରହିଥିବା ବେଳେ ଏହି ସ୍କୁଲରେ ପାଚେରୀ ନାହିଁ । ନୂଆ ବଜାର ସ୍ଥିତ ବାଳିକା ପ୍ରାଥମିକ ବିଦ୍ୟାଳୟ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି । ଅନୁରୂପ ଭାବରେ ଗଡନୃସିଂହ ପ୍ରସାଦ, ଅନନ୍ତପୁର, ଭୁଷଳ , ପୁରୁଷୋତ୍ତମପୁର ପ୍ରାଥମିକ ବିଦ୍ଯାଳୟରେ ପାଚେରୀ ଓ ଫାଟକ ନାହିଁ । ଯାହା ଫଳରେ ବିଦ୍ଯାଳୟ ପରିସରଟି ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଯାଇଥିବା ଅଭିଯୋଗ । ସେପଟେ ଯଥାଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ବିଡିଓ କହିଛନ୍ତି ।