ହସ୍ପିଟାଲର ଶିଶୁ ୱାର୍ଡରେ ନିଆଁ ଲଗାଇଥିଲେ ନର୍ସ ? ନିଆଁ ଲାଗିବାର ୫ ମିନିଟ୍ ପୂର୍ବରୁ କ’ଣ ଧମକ ଦେଇଥିଲେ ନର୍ସ ?

ଭୋପାଳ: ହମିଦିଆ କ୍ୟାମ୍ପସର କମଲା ନେହେରୁ ହସ୍ପିଟାଲ ଅଗ୍ନିକାଣ୍ଡରେ ମୃତ ନବଜାତକଙ୍କ ଅଭିଭାବକ ଅଘଟଣ ପଛରେ ବଡ଼ ଧରଣର ଷଡ଼ଯନ୍ତ୍ରର ଅଭିଯୋଗ କରିଛନ୍ତି। ସେମାନଙ୍କ କହିବା ହେଉଛି ଯେ,ନିଆଁ ଲାଗିବା ପଛରେ ଜଣେ ନର୍ସ ଅଛନ୍ତି। ନିଆଁ ଲାଗିବାର ୫ ମିନିଟ୍ ପୂର୍ବରୁ ନର୍ସ ଓ ୱାର୍ଡ୍ ବୟଙ୍କ ମଧ୍ୟରେ ଝଗଡା ହୋଇଥିଲା ଓ ଉଭୟ ପରସ୍ପରକୁ ଧମକ ଦେଇଥିଲେ ବୋଲି ଅଭିଭାବକ ଅଭିଯୋଗ କରିଛନ୍ତି।

ଝଗଡାର ୫ ମିନିଟ୍ ପରେ ଲାଗିଥିଲା ନିଆଁ

ବାଗ ସେବନିଆର ପୁନମ ଏହି ଅଗ୍ନିକାଣ୍ଡରେ ନିଜ ନବଜାତକ ନାତୁଣିକୁ ହରାଇଛନ୍ତି। ସୋମବାର ଦିନ ହିଁ ତାଙ୍କ ଝିଅ ଏକ ପୁତ୍ର ସନ୍ତାନ ଜନ୍ମ କରିଥିଲେ। ରାତିରେ ସେ ଝିଅ ଓ ନାତି ସହିତ ଥିଲେ। ସେହି ସମୟରେ ନର୍ସ ଓ ୱାର୍ଡ୍ ବୟଙ୍କ ମଧ୍ୟରେ ଝଗଡା ହୋଇଥିଲା ବୋଲି ପୁନମ ଅଭିଯୋଗ କରିଛନ୍ତି। ଝଗଡା ପରେ ପୁନମ ୱାର୍ଡରୁ ବାହାରି ଯାଇଥିଲେ। ଏହାର ଠିକ୍ ୫ ମିନିଟ ପରେ ନିଆଁ ଲାଗିଥିଲା।

ଏଠାରୁ କେହି ହସି ହସି ଯିବେ ନାହିଁ,ନର୍ସ ଦେଇଥିଲେ ଧମକ

ପୁନମଙ୍କ ଅନୁସାରେ ଜଣେ ନର୍ସ ଝଗଡା ବେଳେ ଧମକ ଦେଇଥିଲେ ଯେ, ଏଠାରୁ କେହି ମଧ୍ୟ ହସି ହସି ଯିବେ ନାହିଁ। ସମସ୍ତେ ଏଠାରୁ କାନ୍ଦି କାନ୍ଦି ଯିବେ। ଏହାର ୫ ମିନିଟ୍ ପରେ ନିଆଁ ଲାଗିଥିଲା। ହସ୍ପିଟାଲ ପ୍ରଶାସନ ଅନୁସାରେ ସର୍ଟ ସର୍କିଟ୍ କାରଣରୁ ନିଆଁ ଲାଗିଥିଲା। ନିଆଁ ଲାଗିବା ବେଳେ ସେଠାରେ ୪୦ ନବଜାତକ ଥିଲେ।

ପ୍ରକୃତରେ ମୃତ୍ୟୁ ସଂଖ୍ୟା କେତେ ?

ହସ୍ପିଟାଲ ମୃତ୍ୟୁ ସଂଖ୍ୟା ୪ କହୁଥିବା ବେଳେ ପୀଡିତ ଏହାକୁ ମାନିବାକୁ ପ୍ରସ୍ତୁତ ନାହାନ୍ତି। ସେମାନଙ୍କ ଅନୁସାରେ ମୃତ୍ୟୁ ସଂଖ୍ୟା ୪ରୁ ଅଧିକ। ହସ୍ପିଟାଲ କର୍ତ୍ତୁପକ୍ଷ ପ୍ରକୃତ ସଂଖ୍ୟାକୁ ଲୁଚାଉଛନ୍ତି। ଅଭିଭାବକଙ୍କ ଅଭିଯୋଗ ଯେ, ସୋମବାର ରାତି ୯ଟାରେ ନିଆଁ ଲାଗିଥିଲେ ମଧ୍ୟ ସକାଳ ୭.୩୦ ସୁଧା ସେମାନଙ୍କୁ ହସ୍ପିଟାଲ ଭିତରକୁ ଯିବାକୁ ଦିଆ ଯାଇନଥିଲା। ଘରୋଇ ସୁରକ୍ଷା କର୍ମୀଙ୍କୁ ଗେଟରେ ନିୟୋଜିତ କରି ଅଭିଭାବକଙ୍କୁ ଅଟକା ଯାଇଥିଲା। ଏପରିକି ମିଡିଆକୁ ମଧ୍ୟ ହସ୍ପିଟାଲ ମଧ୍ୟକୁ ଯିବାକୁ ଦିଆଯାଉନାହିଁ।

Leave a Reply