spot_img

Latest Posts

କାର୍ ରେ ଜୀବନ ବିତାଉଛନ୍ତି ଭୋପାଳର ଏହି ଡାକ୍ତର

ଭୋପାଳ: ସାରା ଦେଶରେ କରୋନା ବିରୋଧରେ ଲଢ଼େଇ ଜାରି ରହିଛି। ଏଭଳି ସ୍ଥିତିରେ ସ୍ବାସ୍ଥ୍ୟ କର୍ମୀ, ପୋଲିସ କର୍ମଚାରୀ ଓ ସଫେଇ କର୍ମୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବର୍ତ୍ତମାନ ସମୟରେ ଏମାନଙ୍କୁ ବଡ଼ ବଡ଼ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡୁଛି। କାରଣ କରୋନା ସଂକ୍ରମିତ ରୋଗୀଙ୍କ ଚିକିତ୍ସା କରୁଥିବା ସମୟରେ ଡାକ୍ତର ଓ ନର୍ସଙ୍କୁ ସଂକ୍ରମଣ ହେବାର ଭୟ ଅଧିକ ରହୁଛି। ତେଣୁ ନିଜ ପରିବାର ଲୋକଙ୍କୁ ସଂକ୍ରମଣରୁ ବଞ୍ଚେଇ ରଖିବା ପାଇଁ ସେମାନେ ବିଭିନ୍ନ ପଦକ୍ଷେପମୂଳକ କାର୍ଯ୍ୟ ଗ୍ରହଣ କରୁଛନ୍ତି। ବିଶେଷ କଥା ହେଲା ଏଭଳି ସ୍ଥିତିରେ କେତେକ ଡାକ୍ତର ଓ ନର୍ସ ଘରକୁ ଯାଉ ନ ଥିବା ଜଣାପଡ଼ିଛି।

ଇତିମଧ୍ୟରେ ମଧ୍ୟପ୍ରଦେଶର ଭୋପାଳରେ କିଛି ଏଭଳି ଘଟଣା ସାମ୍ନାକୁ ଆସିଛି। ଭୋପାଳର ଜେପି ହସ୍ପିଟାଲରେ କାର୍ଯ୍ୟରତ ଥିବା ଡାକ୍ତର ସଚିନ କରୋନା ସଂକ୍ରମଣରୁ ନିଜ ଘର ଲୋକଙ୍କୁ ଦୂରେଇ ରଖିବା ପାଇଁ ନିଜ କାର୍‌ରେ ଜୀବନ ବିତାଉଥିବା ଦେଖିବାକୁ ମିଳିଛି।

ସେ ନିଜ କାର୍‌କୁ ଏକପ୍ରକାର ଘରରେ ପରିଣତ କରିଦେଇଛନ୍ତି। ସୂଚନାଯୋଗ୍ୟ, ସଚିନ ଯେଉଁ ହସ୍ପିଟାରେ କାର୍ଯ୍ୟ କରୁଛନ୍ତି ସେଠାରେ କୋଭିଡ-୧୯ ରୋଗୀଙ୍କ ଚିକିତ୍ସା କରାଯାଉଛି। ରୋଗୀଙ୍କ ଚିକିତ୍ସା କରୁଥିବା ସମୟରେ ଡାକ୍ତର ଓ ନର୍ସଙ୍କୁ ସଂକ୍ରମଣ ହେବାର ଭୟ ରହିଛି। ତେଣୁ ସଚିନ ନିଜ ପରିବାର ଲୋକଙ୍କୁ ସୁରକ୍ଷିତ କରିବାକୁ ଯାଇ କାର୍‌ରେ ରହୁଥିବା ଜଣାପଡ଼ିଛି। ସେଠାରେ ସେ ରହିବା, ଶୋଇବା ସହ ଅନ୍ୟାନ୍ୟ କାର୍ଯ୍ୟ କରୁଛନ୍ତି।

ବର୍ତ୍ତମାନ ସମୟରେ ଦେଶ ଯେଉଁ ସଙ୍କଟ ଦେଇ କରୁଛି ସେଠାରେ ସଚିନଙ୍କ ଭଳି ଯୋଦ୍ଧାଙ୍କର ସାହସିକତା ଓ ତ୍ୟାଗ ଅତ୍ୟନ୍ତ ପ୍ରଶଂସନୀୟ। ସଚିନଙ୍କ ଏଭଳି କାର୍ଯ୍ୟକୁ ସବୁ ମହଲରେ ପ୍ରଶଂସା କରାଯାଇଥିବା ବେଳେ ଏହା ସମାଜ ପାଇଁ ଏକ ବାର୍ତ୍ତା ସୃଷ୍ଟି କରିଛି।

Latest Posts

Don't Miss