ଆଜିଠାରୁ ୯ ଦିନ ଧରି ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ

ଭିତରକନିକା: ଆଜିଠାରୁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ । କୁମ୍ଭୀର ଗଣନା ପାଇଁ ୧୪ ତାରିଖ ଠାରୁ ୨୨ ତାରିଖ ପର୍ଯ୍ୟନ୍ତ ୯ ଦିନ ଧରି ଭିତରକନିକା ବନ୍ଦ ରହିବ । ପର୍ଯ୍ୟଟକ ମାନେ ଭିତରକନିକା ନଆସିବାକୁ ରାଜନଗର ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରତି ବର୍ଷ ପରି ଚଳିତ ବର୍ଷ ପ୍ରଥମେ ବୋଟ ଚଳାଚଳ ବନ୍ଦ ରହିବ । ପରେ ନଦୀର ଜଳ ସ୍ଥିର ହେବା ପରେ କୁମ୍ଭୀର ଗଣନା ହେବ। ଭିତରକନିକାରେ ଥିବା ନଦୀ ନାଳରେ ବଉଳା କୁମ୍ଭୀର ଗଣନା କରାଯିବ ।

କୁମ୍ଭୀର ବିଶାରଦ ସୁଧାକର କରଙ୍କ ନେତୃତ୍ୱରେ ବନ କର୍ମଚାରୀମାନେ କୁମ୍ଭୀର ଗଣନା କରିବେ। ରାଜନଗର ବନଖଣ୍ଡର କନିକା, ରାଜନଗର, ମହାକାଳପଡ଼ା ଓ ଗହୀରମଥା ୪ଟି ରେଞ୍ଜରେ ସକାଳ ଏବଂ ସନ୍ଧ୍ୟା ସମୟରେ ହୁଲି ଡଙ୍ଗା ସାହାଯ୍ୟରେ କୁମ୍ଭୀର ଗଣନା ଅନୁଷ୍ଠିତ ହେବ। ଗତବର୍ଷ ଭିତରକନିକାରେ ୧ ହଜାର ୮ଶହ ୧୧ଟି କୁମ୍ଭୀର ଗଣନା କରାଯାଇଥିଲା। ଚଳିତ ବର୍ଷ ମଧ୍ୟ କୁମ୍ଭୀର ସଂଖ୍ୟା ବୃଦ୍ଧି ପାଇବା ନେଇ ବନବିଭାଗ ଆଶା ରଖିଥିବା ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି।