ଆଜିଠୁ ଖୋଲିଲା ବିଶ୍ବ ପ୍ରସିଦ୍ଧ ଭିତରକନିକା
କେନ୍ଦ୍ରାପଡ଼ା : ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଆଜିଠୁ ଖୋଲିଲା ବିଶ୍ୱ ପ୍ରସିଦ୍ଧ ଭିତରକନିକା । କୁମ୍ଭୀର ପ୍ରଜନନ ଋତୁ ପାଇଁ ପ୍ରତିବର୍ଷ ମଇ ୧ ରୁ ଜୁଲାଇ ୩୧ ତାରିଖ ଦୀର୍ଘ ୩ ମାସ ଧରି ଭିତରକନିକା ବନ୍ଦ ରହିଥିଲା । ଏହି ସମୟରେ ଦେଶ ବିଦେଶର ପର୍ଯ୍ୟଟକ ଭିତରକନିକାରେ ପ୍ରବେଶ ଉପରେ କଟକଣା ଥାଏ । ଆଜି ଠାରୁ ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ଜାତୀୟ ଉଦ୍ୟାନକୁ ଖୋଲାଯାଇଛି । ଏଥିପାଇଁ ବନବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।
ପର୍ଯ୍ୟଟକମାନେ ଭିତରକନିକା ମଧ୍ୟକୁ ପ୍ରବେଶ କରିବାକୁ ହେଲେ ପରିଚୟପତ୍ରକୁ ବାଧ୍ୟତା ମୂଳକ କରାଯାଇଛି । ଗୁପ୍ତି, ଖୋଳା ଓ ଡାଙ୍ଗମାଳ ୩ଟି ଏଣ୍ଟ୍ରି ପଏଣ୍ଟ ଦେଇ ଭିତରକନିକାକୁ ପ୍ରବେଶ କରିପାରିବେ । ଯନ୍ତ୍ରଚାଳିତ ବୋଟ ସହ ବନବିଭାଗ ତରଫରୁ ରହିଥିବା ୫ଟି ଫାଇବର ବୋଟରେ ମଧ୍ୟ ପର୍ଯ୍ୟଟକମାନେ ବୁଲି ଭିତରକନିକାର ନୈସର୍ଗିକ ଶୋଭା ଉପଭୋଗ କରିପାରିବେ ।
ଚଳିତବର୍ଷ ଭିତରକନିକାକୁ ସମ୍ପୂର୍ଣ୍ଣ ଭାବେ ପଲିଥିନମୁକ୍ତ କରାଯାଇଛି । ବାହ୍ମଣୀ, ବୈତରଣୀ ଓ ମହାନଦୀର ତ୍ରିକୋଣ ଭୂମିରେ ଅବସ୍ଥିତ ଭିତରକନିକା ପ୍ରକୃତିପ୍ରେମୀ ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ । ଭିତରକନିକାକୁ ନୌକା ଭ୍ରମଣରେ ପ୍ରକୃତିକୁ ନିକଟରେ ଦେଖିବାର ସୁଯୋଗ, ନଇ ପଠାରେ ବିରଳ ବଉଳା କୁମ୍ଭୀରଙ୍କ ଖରା ପୋଇଁବା ଓ ମିଳନର ଦୃଶ୍ୟ ସାଙ୍ଗକୁ ନଦୀ ମଧ୍ୟରେ କୁମ୍ଭୀରଙ୍କ ମିଳନର ଦୃଶ୍ୟ ପର୍ଯ୍ୟଟକଙ୍କୁ ବିମୋହିତ କରିଥାଏ ।