ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

କେନ୍ଦ୍ରପଡା: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ। ୩ ମାସ ଧରି ବନ୍ଦ ରହିବା ପରେ ଭିତରକନିକା ଖୋଲିଥିବାରୁ ପର୍ଯ୍ୟଟକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖାଦେଇଛି। ଅପରପକ୍ଷରେ ପର୍ଯ୍ୟଟକଙ୍କୁ ସ୍ବାଗତ କରିବା ପାଇଁ ବନବିଭାଗ ବ୍ଯାପକ ପ୍ରସ୍ତୁତି କରିଛି।

କୁମ୍ଭୀର ପ୍ରଜନନ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ମେ’ ୧ ତାରିଖରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ୩ ମାସ ଧରି ବନ୍ଦ ରହିଥିଲା। ଏହି ସମୟରେ କୁମ୍ଭୀର ହିଂସ୍ର ରହୁଥିବାରୁ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଭିତରକନିକା ବନ୍ଦ ରହିଥିଲା। ଭିତରକନିକାରେ ପ୍ରଥମଥର ନିର୍ମାଣ କରାଯାଇଛି ସ୍କାଏ ଓ୍ଵାକ୍ । ଜଙ୍ଗଲ ଉପରେ ଚାଲିଚାଲି ଜଙ୍ଗଲର ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ ପର୍ଯ୍ୟଟକ। ପର୍ଯ୍ୟଟକମାନେ ଡାଙ୍ଗମାଳ, ଖୋଳା, ଗୁପ୍ତି ଓ ଚାନ୍ଦବାଲି ପ୍ରବେଶ ଦ୍ଵାର ଦେଇ ଭିତରକନିକା ବୁଲିପାରିବେ। ନୌବିହାର, ବଉଳା କୁମ୍ଭୀର, ଦେଶୀୟ ପକ୍ଷୀ ଓ ପ୍ରକୃତିର ମନୋରମ ଦୃଶ୍ୟ ଉପଭୋଗ କରିପାରିବେ ପର୍ଯ୍ୟଟକ । ଭିତରକନିକା ଖୋଲିଥିବାରୁ ପର୍ଯ୍ୟଟକଙ୍କ ସହ ଭିତରକନିକା ଉପରେ ନିର୍ଭର କରୁଥିବା ବୋଟ, ହୋଟେଲ, ଟ୍ରାଭେଲ୍ ଏଜେନ୍ସି , ଛୋଟ ବ୍ୟବସାୟ, ଟୁରିଷ୍ଟ ଗାଇଡ଼ମାନେ ଚଳଚଞ୍ଚଳ ହୋଇ ଉଠିଛନ୍ତି ।