ଆସୁଛି ବଉଳା କୁମ୍ଭୀରଙ୍କ ପ୍ରଜନନ ଋତୁ, ଆସନ୍ତାକାଲିଠାରୁ ଜୁଲାଇ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ ଭିତରକନିକା

କେନ୍ଦ୍ରାପଡ଼ା:  କାଲିଠୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ । ୧ ମେ’ ରୁ ଜୁଲାଇ ୩୧ ଯାଏ କେନ୍ଦ୍ରାପଡ଼ାର ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ରହିବ । ଉଦ୍ୟାନରେ ପ୍ରବାହିତ ନଦୀନାଳରେ ବସବାସ କରୁଥିବା ବଉଳା କୁମ୍ଭୀରଙ୍କ ପ୍ରଜନନ ପାଇଁ ଏପରି ପଦକ୍ଷେପ ନିଆଯାଇଛି । ଉଭୟ ପର୍ଯ୍ୟଟକ ଓ କୁମ୍ଭୀରଙ୍କ ସୁରକ୍ଷା ପାଇଁ ରାଜନଗର ବନ ବିଭାଗ ପକ୍ଷରୁ  ନିଷ୍ପତ୍ତି ନିଆଯାଇଛି । ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ଭିତରକନିକା ଭ୍ରମଣ ଓ ପ୍ରବେଶ ବନ୍ଦ ରହିବ । ଏହି ପ୍ରଜନନ ଋତୁ ସମୟରେ ଉଭୟ ପୁରୁଷ ଓ ମାଆ କୁମ୍ଭୀର ମିଳନ ପର୍ବରେ ନିମଗ୍ନ ରହିଥାନ୍ତି । ଏହି ସମୟ ଭିତରେ ମାଆ କୁମ୍ଭୀର ଅଣ୍ଡା ଦାନ ପକ୍ରିୟା ଶେଷ କରିଥାନ୍ତି ।

ଉଭୟ ମାଆ ଏବଂ ପୁରୁଷ କୁମ୍ଭୀର ହେନ୍ତାଳ ଓ ଖରଖରି ପତ୍ରରେ ଅଢେଇରୁ ୩ ଫୁଟ ଉଚ୍ଚର ବସା ବାନ୍ଧିଥାନ୍ତି । ନଦୀ କୂଳଠାରୁ ଜୁଆର ଛୁଇଁ ପାରୁନଥିବା ନିରାପଦ ସ୍ଥାନରେ ବସା ବାନ୍ଧିଥାନ୍ତି । ଏହି ବସାରେ ମାଆ କୁମ୍ଭୀର ଅଣ୍ଡାଦାନ କରିଥାନ୍ତି । ଏହି ସମୟରେ ସେମାନଙ୍କର ପ୍ରଜନନ ପକ୍ରିୟା ଠୁଁ ଆରମ୍ଭ କରି ଅଣ୍ଡାଦାନ ପର୍ଯ୍ୟନ୍ତ କୁମ୍ଭୀର ହିଂସ୍ର ହୋଇଥାନ୍ତି । ସେମାନଙ୍କ ପକ୍ରିୟାରେ ବାଧା ଦେଖାଦେଲେ ସେମାନେ ଆକ୍ରମଣ କରିବାକୁ ପଛାଇ ନଥାନ୍ତି । ଏହାକୁ ଦୃଷ୍ଟିରେ ରଖି ୩ ମାସ ପର୍ଯ୍ୟନ୍ତ ଜାତୀୟ ଉଦ୍ୟାନରେ ପ୍ରବେଶ ଓ ପରିଭ୍ରମଣ ପାଇଁ ପର୍ଯ୍ୟଟକଙ୍କୁ ବନ୍ଦ କରାଯାଇଛି ।